ପୁଲିସର ସାହାଯ୍ୟ ନ ନେଇ ଫୋନ ଚୋରି କରିଥିବା ଅଭିଯୁକ୍ତକୁ ଧରିଲେ ଯୁବତୀ, ଚୋରି ହେବା ଜାଣି ଏଭଳି ଆରମ୍ଭ କରିଥିଲେ ତଦନ୍ତ
ମୁମ୍ବାଇ : ଆଜିକାଲିର ପିଲାମାନେ ନିଜ ଫୋନ ସହ କେତେ ଜଡ଼ିତ ତାହା ଆପଣମାନେ ଜାଣିଥିବେ । ଏଭଳି ପରିସ୍ଥିତିରେ ଯଦି ଫୋନ ଚୋରି ହୋଇ ଯାଉଛି ତେବେ ତାହା ସେମାନଙ୍କ ପାଇଁ କୌଣସି ବଡ଼ ଦୁଃଖଠାରୁ କମ ନୁହେଁ । ତେବେ ଏଭଳି ପରିସ୍ଥିତିରେ ମୁମ୍ବାଇର ଜଣେ ଯୁବତୀ ନିଜର ହଜିଥିବା ଫୋନକୁ ନିଜେ ଖୋଜି ପାଇଛନ୍ତି । ଏହା ସହ ଚୋରକୁ ପୁଲିସ ହାତରେ ଧରା ମଧ୍ୟ ପକାଇଛନ୍ତି ।
ସୂଚନା ମୁତାବକ, ମୁମ୍ବାଇର ମରୋଲରେ ରହୁଥିବା ଜୀନତ ପେସାରେ ଜଣେ ଶିକ୍ଷୟତ୍ରୀ । ରବିବାର ସେ କୌଣସି କାମରେ ମଲାଡ଼ ଯାଇଥିବା ବେଳେ ସେଠାରୁ ଫେରିବା ସମୟରେ ତାଙ୍କ ଫୋନ ଚୋରି ହୋଇ ଯାଇଥିଲେ । ତେବେ କେଉଁଠି ତାଙ୍କର ଫୋନ ଚୋରି ହେଲା ତାହା ସେ ଜାଣି ପାରି ନଥିଲେ । ଘରେ ପହଞ୍ଚିବା ପରେ ଘରେ ଥିବା ଅନ୍ୟ ଫୋନରୁ ସେ ନିଜ ଫୋନକୁ ଟ୍ରାକ୍ କରିବା ଆରମ୍ଭ କରିଥିଲେ । ଫୋନ ଟ୍ରାକ୍ କରିବା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କ ଫୋନ ବ୍ୟବହାର କରି ହ୍ଵାଟ୍ସଆପ୍,ଫେସ୍ବୁକ୍ ଏବଂ ମେସେଞ୍ଜର ଆପ୍ ଅପ୍ଡ଼େଟ୍ କରିବା ସହ ଟ୍ରେନ୍ ଟିକେଟ୍ ବୁକ୍ କରିବା ପାଇଁ ଆପ୍ ମଧ୍ୟ ଡ଼ାଉନ୍ଲୋଡ଼ କରିଥିବା ଜାଣିବାକୁ ପାଇଥିଲେ ଜୀନତ ।

ଏହା ପରେ ଅଭିଯୁକ୍ତ ଜଣଙ୍କ ଦାଦର ତିରୁବନନ୍ତମଲଇ ଷ୍ଟେସନରୁ ପୁଡ଼ୁଚେରୀ ପାଇଁ ଟିକେଟ କାଟିବା ସହ ନିଜ କିଛି ଫଟୋ ମଧ୍ୟ ଉଠାଇଥିଲେ । ଜୀନତ ଗୁଗଲ ଫୋଟୋଜ ମାଧ୍ୟମରେ ଅଭିଯୁକ୍ତର ଟ୍ରେନ୍ ଟିକେଟ୍ ବିବରଣୀ ଏବଂ ଅଭିଯୁକ୍ତର ଫଟୋ ନେଇ ଦାଦର ଷ୍ଟେସନରେ ପହଞ୍ଚି ଜିଆର୍ପି ଅଫିସରଙ୍କୁ ସବୁ ଜଣାଇଥିଲେ । ସବୁ ବିଷୟରେ ଜାଣିବା ପରେ ଜୀନତ ଏବଂ ଜିଆର୍ପି ଅଫିସର ମିଶି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲେ । କିଛି ସମୟ ଖୋଜିବା ପରେ ପୁଡ଼ୁଚେରୀ ଯିବାକୁ ଥିବା ଟ୍ରେନ୍ ମଧ୍ୟରୁ ଚୋରକୁ ଧରିଥିଲେ ରେଲେଓ୍ଵ ପୁଲିସ ।