ମୁମ୍ବାଇ: ମୁମ୍ବାଇ ପୃଥିବୀର ଏକ ଜନବହୁଳ ସହର। କେବଳ ମଣିଷ ନୁହନ୍ତି, କଲରାପତରିଆ ବାଘଙ୍କ ବସବାସ କ୍ଷେତ୍ରରେ ମଧ୍ୟ ମୁମ୍ବାଇ ଆଗରେ ରହିଛି। ବାଘ ଗଣନାରୁ ମୁମ୍ବାଇ ପୃଥିବୀର ସର୍ବାଧିକ କଲରାପତରିଆ ବାଘ ଘନତ୍ବ ଅଞ୍ଚଳ ବୋଲି ଜଣାଯାଇଛି। ମୁମ୍ବାଇ ମହାନଗର ନିଗମ ଅଞ୍ଚଳର ଫୁସ୍‌ଫୁସ୍‌ ଭାବେ ପରିଚିତ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ (ଏସ୍‌ଜିଏନ୍‌ପି) ଏବଂ ଏହାର ଆଖପାଖ ଅଞ୍ଚଳରେ ୫୪ଟି କଲରାପତରିଆ ବାଘଙ୍କୁ ଚିହ୍ନଟ କରାଯାଇଛି। ୨୦୨୪ ଫେବ୍ରୁଆରିରୁ ଜୁନ୍‌ ମଧ୍ୟରେ ଏସ୍‌ଜିଏନ୍‌ପି, ଆରେ ମିଲ୍‌କ କଲୋନି, ଭସାଇସ୍ଥିତ ତୁଙ୍ଗରେଶ୍ବର ବନ୍ୟଜନ୍ତୁ ଅଭୟାରଣ୍ୟରେ ମହାରାଷ୍ଟ୍ର ବନ ବିଭାଗ, ୱି ୱାର୍କ ଇଣ୍ଡିଆ ମ୍ୟାନେଜମେଣ୍ଟ ଲିମିଟେଡ୍‌ ଏବଂ ୱାଇଲଡ୍‌ ଲାଇଫ୍‌ କନ୍‌ଜରଭେସନ୍‌ ସୋସାଇଟି-ଇଣ୍ଡିଆ ପକ୍ଷରୁ ମିଳିତ ସର୍ଭେ କରାଯାଇଥିଲା। 

Advertisment

ସର୍ଭେ ନିମନ୍ତେ ଏସ୍‌ଜିଏନ୍‌ପିରେ ୫୭ଟି କ୍ୟାମେରା ଓ ତୁଙ୍ଗରେଶ୍ବର ଅଭୟାରଣ୍ୟର ୩୩ଟି ସ୍ଥାନରେ କ୍ୟାମେରା ଖଞ୍ଜା ଯାଇଥିଲା। ସଞ୍ଜୟ ଗାନ୍ଧୀ ନ୍ୟାସନାଲ ପାର୍କ ଓ ଆରେ ମିଲ୍‌କ କଲୋନିରେ ୩୬ଟି ମାଈ କଲରାପତରିଆ, ୧୬ଟି ପୁରୁଷ କଲରାପତରିଆ ଓ ୨ଟି ଲିଙ୍ଗ ଅସ୍ପଷ୍ଟ କଲରାପତରିଆ ବାଘଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ୪ଟି ଶାବକ ଅଛନ୍ତି। ଏହି ସର୍ଭେ ପରେ ୧୮୮ ବର୍ଗ କିମି ପରିସୀମା ମଧ୍ୟରେ ସର୍ବାଧିକ କଲରାପତରିଆ ବାଘ ରହୁଥିବା ଅଞ୍ଚଳ ଭାବେ ମୁମ୍ବାଇ ପରିଗଣିତ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳରେ ୨୦୧୫ରେ ୩୫ଟି, ୨୦୧୭ରେ ୪୦ଟି ଏବଂ ୨୦୨୨ରେ ୪୫ଟି କଲରାପତରିଆ ବାଘ ଚିହ୍ନଟ କରାଯାଇଥିଲା। ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ସହର ପରିସୀମା ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିଲେ ମଧ୍ୟ କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ପରସ୍ପର ସହବସ୍ଥାନ ସନ୍ତୁଳନକୁ ଦର୍ଶାଉଛି। ସହରୀ ପରିବେଶରେ କଲରାପତରିଆ ବାଘ କିଭଳି ଖାପ ଖୁଆଇ ଚଳୁଛନ୍ତି ତାହାର ଏକ ବଡ଼ ଉଦାହରଣ ମୁମ୍ବାଇ ପାଲଟିଛି।