ନୂଆଦିଲ୍ଲୀ: ମୁମ୍ବାଇ ବିଏମଡବ୍ଲ୍ୟୁ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ମିହିର ଶାହ ଗିରଫ ହୋଇଛି। ମିହିର ସହ ତା’ର ମା’ ଏବଂ ୨ ଭଉଣୀ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ମିହିରକୁ ଗିରଫଦାରୀରୁ ସୁରକ୍ଷା ଦେବା ପାଇଁ ଷଡ଼୍‌ଯନ୍ତ୍ର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତେବେ ସେମାନଙ୍କୁ ପୁଲିସ ଅଭିଯୁକ୍ତ ଭାବେ ଦର୍ଶାଇବ କି ନା’ ତାହା ଜଣାପଡ଼ିନି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ସଦସ୍ୟ ରାଜେଶ ଶାହଙ୍କ ପୁଅ ହେଉଛି ମିହିର ଶାହ। ଗତ ରବିବାର ଦିନ ସେ ତା’ ବାପାଙ୍କ ବିଏମଡ୍ଲ୍ୟୁ କାର୍‌ ଚଳାଇ ଦୁର୍ଘଟଣା ଘଟାଇଥିଲା। ଜଣେ ଦମ୍ପତିଙ୍କ ଉପରେ ଗାଡ଼ି ମଡ଼ାଇ ସେ ସେମାନଙ୍କୁ କିଛି ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣା ଘଟାଇ ଅଭିଯୁକ୍ତ ମିହିର ଫେରାର୍‌ ଥିଲା। ଦୁର୍ଘଟଣା ଘଟିବାର ୩ ଦିନ ପରେ ମିହିର ଶାହକୁ ମୁମ୍ବାଇ ନିକଟରୁ ପୁଲିସ ଗିରଫ କରିଛି। ମିହିର ଶାହକୁ ଗିରଫ କରିବାପାଇଁ ୬ଟି ପୁଲିସ ଟିମ୍‌ ମୁ୍ତୟନ ହୋଇଥିଲେ। ଅନ୍ୟପକ୍ଷେ ମାମଲା‌ରେ ପୂର୍ବରୁ ଗିରଫ ହୋଇଥିବା ଶିବସେନା ନେତାଙ୍କ ଡ୍ରାଇଭରଙ୍କ ପୁଲିସ ହାଜତ ମିଆଦ ଜୁଲାଇ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Advertisment

ଅନ୍ୟପକ୍ଷରେ ମୁମ୍ବାଇ ବିଏମ୍‌ଡବ୍ଲ୍ୟୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ରବିବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାର ଅନେକ ସିସିଟିଭି ଫୁଟେଜ୍ ପୁଲିସ ସମୀକ୍ଷା କରିବା ପରେ ଲୋମହର୍ଷଣକାରୀ ତଥ୍ୟ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଗାଡ଼ି ଚଳାଉଥିବା ମିହିର ଶାହ କାବେରୀ ନକୱାଙ୍କୁ ଧକ୍କା ଦେଇ ୧.୫ କିମି ଘୋଷାରି ନେବା ପରେ କାର୍ ଅଟକାଇ ତାଙ୍କ ଡ୍ରାଇଭରଙ୍କ ସହ ସିଟ୍ ବିନିମୟ କରିଥିଲେ। ମିହିର ଶାହ ଗାଡ଼ି ତଳେ ଲାଖିଥିବା ମହିଳାଙ୍କ ମୃତଦେହକୁ ବାହାର କରିଥିଲେ। ଏହାପରେ ମିହିର ଶାହଙ୍କ ଡ୍ରାଇଭର ବିଏମ୍‌ଡବ୍ଲ୍ୟୁ ଗାଡ଼ିକୁ ପଛୁଆ ଚଳାଇ ମୃତଦେହ ଉପରେ ପୁନଶ୍ଚ ଚଢ଼ାଇଥିଲା। ସେଥିପାଇଁ ପୁଲିସ ଉଭୟଙ୍କ ବିରୋଧରେ ହତ୍ୟା-ସମତୁଲ ଦଫା ଲଗାଇଥିବା କୋର୍ଟରେ ପ୍ରକାଶ କରିଛି।