ମୁମ୍ବାଇ: ଆଜି ମୁମ୍ବାଇରେ ଜଣେ ଶିବସେନା ନେତାଙ୍କ ପୁଅ ନିଶାସକ୍ତ ଅବସ୍ଥାରେ ବିଏମ୍‌ଡବ୍ଲୁ କାର୍‌ ଚଢ଼ାଇ ଜଣେ ମହିଳାଙ୍କୁ ମାରିଦେବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ପୁଲିସ ଅଭିଯୁକ୍ତଙ୍କ ପିତା ତଥା ଶାସକ ଶିବସେନା ନେତା ରାଜେଶ ଶାହଙ୍କୁ ଥାନାରେ ଅଟକ ରଖିଛି। ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ମିହିର ଶାହ (୨୪) ସେଠାରୁ ଫେରାର୍‌ ହୋଇଯାଇଛି। ଏହି ଘଟଣାରେ ମିହିରଙ୍କ ପିତା ତଥା ଶିବସେନା ଦଳର ପାଲଘର ଜିଲ୍ଲା ଉପାଧ୍ୟକ୍ଷ ରାଜେଶଙ୍କୁ ଥାନାରେ ଅଟକ ରଖିଛି।

Advertisment

ପୁଲିସ କହିଛି, କାର୍‌ଟି ରାଜେଶଙ୍କ ନାମରେ ପଞ୍ଜୀକରଣ ହୋଇଛି। ଏହାସହ ଦୁର୍ଘଟଣା ସମୟରେ କାର୍‌ରେ ବସିଥିବା ଚାଳକ ରାଜଋଷି ବିତାୱତ୍‌ଙ୍କୁ ମଧ୍ୟ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଆଜି ଭୋରରେ ମାଛ ବେପାରୀ ପ୍ରଦୀପ ନଖୱା (୫୦) ତାଙ୍କ ପତ୍ନୀ କାବେରୀ (୪୫)ଙ୍କୁ ନେଇ ମାଛ କିଣିବାକୁ କୋଲାବା ଯାଇଥିଲେ। ପ୍ରାୟ ସାଢ଼େ ୫ଟା ବେଳେ ଆନିବେସାନ୍ତ ରୋଡ୍‌ରେ ଏକ ବିଏମ୍‌ଡବ୍ଲୁ ଦ୍ରୁତଗତିରେ ଆସି ପଛପଟୁ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାବେରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଦୀପ ଗୁରୁତର ଆହତ ହୋଇଛନ୍ତି। ମିହିର ଘଟଣାସ୍ଥଳରେ ନିଜ କାର୍‌ ଛାଡ଼ି ଅଟୋରିକ୍ସାରେ ବୋରିଭୋଲିରେ ରହୁଥିବା ନିଜର ବାନ୍ଧବୀ ନିକଟକୁ ଯାଇଥିଲା ଏବଂ ସେଠାରୁ ସେ ଫେରାର୍‌ ହୋଇଯାଇଛି ।