ମୁମ୍ବାଇ: ମୁମ୍ବାଇର ୱକ୍ହର୍ଡ ହସ୍ପିଟାଲ୍ରେ ୨୬ ଜଣ ନର୍ସ ଏବଂ ୩ ଜଣ ଡାକ୍ତର କରୋନା ପଜିଟିଭ୍ ହେବାପରେ ଉକ୍ତ ହସ୍ପିଟାଲ୍ ସିଲ୍ କରାଯାଇଛି। ବିଏମ୍ସି ପକ୍ଷରୁ ଉକ୍ତ ହସ୍ପିଟାଲ୍କୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ବିଏମ୍ସି ଅତିରିକ୍ତ ମ୍ୟୁନିସିପାଲ କମିସନର (ସ୍ବାସ୍ଥ୍ୟ) ସୁରେଶ କକାନି କହିଛନ୍ତି, ହସ୍ପିଟାଲ୍ଟିକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି ଏବଂ ହସ୍ପିଟାଲ୍ର ଷ୍ଟାଫ୍ମାନଙ୍କୁ ବାହାରକୁ ଯିବାକୁ ଅନୁମତି ନାହିଁ। ହସ୍ପିଟାଲ୍ ପ୍ରଶାସନ ପକ୍ଷରୁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଯୋଗୁଁ ୩୦୦ ଷ୍ଟାଫ୍ଙ୍କୁ କ୍ବାରାଣ୍ଟିନ୍ରେ ରଖାଯାଇଛି। ତେବେ ହସ୍ପିଟାଲ୍ ପରିସରରେ କିଭଳି ଭାଇରସ୍ ବ୍ୟାପିଲା ତା’ର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଛି ବୋଲି ସେ କହିଛନ୍ତି। କୋଭିଡ୍ -୧୯ ପଜିଟିଭ୍ ଥିବା ନର୍ସ୍ମାନେ ଅଭିଯୋଗ କରିଛନ୍ତି ଯେ, ହସ୍ପିଟାଲ୍ର ଅବହେଳା ଯୋଗୁଁ ଏହି ସଂକ୍ରମଣ ଅନ୍ୟ ଷ୍ଟାଫ୍ମାନଙ୍କୁ ବ୍ୟାପିଲା। ମାର୍ଚ୍ଚ ୨୦ରେ କସ୍ତୁରବା ଗାନ୍ଧୀ ହସ୍ପିଟାଲ୍ର ୨ ସନ୍ଦିଗ୍ଧ ରୋଗୀଙ୍କୁ ଏହି ହସ୍ପିଟାଲ୍କୁ ଅଣାଯାଇଥିଲା। ଯେଉଁମାନେ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲେ ସେମାନଙ୍କୁ ଏହି ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଥିବା ବେଳେ ସନ୍ଦିଗ୍ଧମାନଙ୍କୁ ଜେନେରାଲ୍ ଆଇସିୟୁ ୱାର୍ଡରେ ରଖାଯାଇଥିଲା। ଏଠାରେ ସାଧାରଣ ରୋଗୀଙ୍କୁ ବି ଚିକିତ୍ସା କରାଯାଉଥିଲା। ମାର୍ଚ୍ଚ ୨୮ରେ ଏହି ହସ୍ପିଟାଲ୍ର ଜେନେରାଲ୍ ୱାର୍ଡରେ କାମ କରୁଥିବା ୨ ଜଣ ନର୍ସ ଭାଇରସ୍ ପଜିଟିଭ୍ ହୋଇଥିଲେ। ପରେ ୧୦ ଜଣ ନର୍ସ ଭାଇରସ୍ ଆକ୍ରାନ୍ତ ହୋଇଥିଲେ। ଏହାପରେ ୨୬ ନର୍ସ ଏବଂ ୩ ଜଣ ଡାକ୍ତର କରୋନା ଆକ୍ରାନ୍ତ ହେଲେ। କରୋନା ସନ୍ଦିଗ୍ଧ ରୋଗୀଙ୍କୁ ଜେନେରାଲ୍ ୱାର୍ଡରେ ଚିକିତ୍ସା କରିବା ସମୟରେ ଏହି ନର୍ସମାନେ ଭାଇରସ୍ ସଂକ୍ରମିତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି। ହସ୍ପିଟାଲ୍ ଷ୍ଟାଫ୍ଙ୍କ ପକ୍ଷରୁ କୁହାଯାଇଛି ଯେ, ଆରମ୍ଭରୁ ଭାଇରସ୍ ଲକ୍ଷଣ ଦେଖାଦେଇଥିବା ନର୍ସମାନଙ୍କୁ କ୍ବାରାଣ୍ଟିନ୍ରେ ରଖାଯାଇନଥିଲା। ସେମାନଙ୍କୁ କାମ କରିବାପାଇଁ ବାଧ୍ୟ କରାଗଲା। ଫଳରେ ଭାଇରସ୍ ବ୍ୟାପିଗଲା। ମିଳିଥିବା ସୂଚନାନୁଯାୟୀ ନର୍ସମାନଙ୍କୁ ସେମାନଙ୍କ କ୍ବାର୍ଟରରୁ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଭାଇରସ୍ ସଂକ୍ରମିତ ହୋଇଥିବା ୨ ଜଣ ଡାକ୍ତର ସେଭେନ୍ ହିଲ୍ସ ଏବଂ ଅନ୍ୟ ଜଣେ ଡାକ୍ତର ଏସଏଲ୍ ରାହେଜା ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସମୁଦାୟ ୨୭୦ ହସ୍ପିଟାଲ୍ ଷ୍ଟାଫ୍ଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି।
ମୁମ୍ବାଇ ୱକ୍ହର୍ଡ ହସ୍ପିଟାଲ୍ ସିଲ୍: ୨୬ ନର୍ସ, ୩ ଡାକ୍ତର କରୋନା ପଜିଟିଭ୍
/sambad/media/post_attachments/wp-content/uploads/2020/04/shsfh98sf7h98sf7h98sf4h56fsh465sfhsf4h65sf4h56sfhsfsfhhffhssfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)