ମୁମ୍ବାଇ- ହାଓଡ଼ା ସୁପରଫାଷ୍ଟ ମେଲ ଦୁର୍ଘଟଣାଗ୍ରସ୍ତ ,ଯାତ୍ରୀ ସୁରକ୍ଷିତ

ରାଉରକେଲା : ରାଉରକେଲାରୁ ପ୍ରାୟ 70 କି.ମି .ଦୂର ଲୋଟାପାହାଡ଼ ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ମୁମ୍ବାଇ-ହାଓଡ଼ା ସୁପରଫାଷ୍ଟ ମେଲ | ସୋମବାର ରାତି 2ଟା ରେ ଏହି ଅଘଟଣ ଘଟିଛି | ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି | ମିଳିଥିବା ସୂଚନା ମୁତାବକ ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଟାପାହାଡ ଓ ସୋନୁଆ ଷ୍ଟେସନ ମଧ୍ୟରେ ମୁମ୍ବାଇ-ହାଓଡ଼ା ସୁପରଫାଷ୍ଟ ମେଲ(୧୨୮୦୯) ର ପାର୍ସଲ ଭ୍ୟାନ ଲାଇନଚ୍ୟୁତ ହୋଇଥିଲା |

ତେବେ ଶହଶହ ସଂଖ୍ୟାରେ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି | ଏହି ଘଟଣାଟି ରାତି ପ୍ରାୟ ୧ଟା ୨୦ ମିନିଟରେ ହୋଇଥିବାବେଳେ ଇଂଜିନ ସହ ପାର୍ସଲ ଭ୍ୟାନ ଯୋଡି ହୋଇରହିଥିଲା | ତେବେ କୁହାଯାଉଛି ଏହି ବଗିରେ ଅତ୍ୟଧିକ ପରିମାଣର ଜିନିଷ ପଠାଯାଉଥିବାରୁ ବଗିରେ ଫାଟ ସୃଷ୍ଟି ହୋଇଥିଲା | ଫଳରେ ଏହି ବଗି ସହ ଜଡିତ ଯାତ୍ରୀବାହୀ ବଗିର ଭକ୍ୟୁମ ପାଇପ ଫାଟିଯାଇଥିଲା |

ଯାହାଫଳରେ ଟ୍ରେନ ଅଟକିଯାଇଥିଲା | ପରେ ଚକ୍ରଧରପୁର ଷ୍ଟେସନ୍ରୁ ରିଲିଫ ଟ୍ରେନ ଘଟଣାସ୍ଥଳକୁ ଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ବଗିକୁ ଅଲଗା କରାଯାଇଥିଲା | ଯାଞ୍ଚ ପରେ ଆଜି ସକାଳ ୬ଟାରେ ଟ୍ରେନ ହାଓଡ଼ା ଅଭିମୁଖେ ଯାତ୍ରା କରିଥିଲା |

ସମ୍ବନ୍ଧିତ ଖବର