ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଜନ୍ମଦିନରେ ସୋସିଆଲ୍‌ ମିଡିଆରେ ଏକ ଗାନ୍ଧୀ ବିରୋଧୀ ପୋଷ୍ଟ ଲେଖିଥିବା ମୁମ୍ବାଇର ଆଇଏଏସ୍‌ ଅଫିସର ନିଧି ଚୌଧୁରୀଙ୍କ ବଦଳି କରାଯାଇଛି। ତାଙ୍କୁ ବ୍ରିହନ ମୁମ୍ବାଇ ମୁନ୍‌ସିପାଲଟି କର୍ପୋରେସନ(ବିଏମ୍‌ସି)ର ଡେପୁଟି ମୁନିସିପାଲ୍‌ କମିସନର ପଦରୁ ଓ୍ଵାଟର ଆଣ୍ଡ ସାନିଟେସନ୍‌ ଡିପାର୍ଟମେଣ୍ଟକୁ ବଦଳି କରାଯାଇଛି।

Advertisment

ମେ ୧୭ ତାରିଖରେ ନିଧି ଏକ ଟ୍ଵିଟ୍‌ କରିଥିଲେ। ସେଥିରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅସମ୍ମାନଜନକ ଶବ୍ଦ ଲେଖିବା ସହ ୧୯୮୪ ମସିହା ଜାନୁଆରି ୩୦ରେ ନାଥୁରାମ ଗାନ୍ଧୀଙ୍କ ହତ୍ୟା କରିଥିବା ହେତୁ ତାକୁ ଧନ୍ୟବାଦ ଜଣାଇଥିଲେ। ତାଙ୍କର ଏହି ଟ୍ଵିଟ୍‌କୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ତାହାକୁ ଡିଲିଟ୍‌ କରି ଦେଇଥିଲେ।

ଗାନ୍ଧୀଙ୍କ ପ୍ରତି ଅପମାନଜନକ ଟ୍ଵିଟ୍‌ କରିଥିବା ହେତୁ ନେସନାଲିଷ୍ଟିକ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଜତେନ୍ଦ୍ର ଆହ୍ଵାଦ ନିଧିଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ।

ଟ୍ଵିଟ୍‌ ଡିଲିଟ୍‌ କରି ଅନ୍ୟ ଏକ ଟ୍ଵିଟ୍‌ କରି ନିଧି ଲେଖିଥିଲେ, ‘ଗାନ୍ଧୀଜୀଙ୍କ ଉପରେ ଲେଖିଥିବା ଟ୍ଵିଟ୍‌କୁ ମୁଁ ଡିଲିଟ୍‌ କରି ଦେଇଛି। କାହିଁକି ନା, କିଛି ଲୋକ ଏହାକୁ ଭୁଲ୍‌ ବୁଝିଲେ। ୨୦୧୧ ମସିହାରୁ ଯିଏ ମୋ ଟାଇମ୍‌ଲାଇନ୍‌ ଦେଖୁଥିବେ ସେ ଜାଣିପାରୁଥିବେ ଯେ ମୁ ଗାନ୍ଧୀଙ୍କୁ ଅପମାନ ଦେବା କଥା ଭାବି ବି ପାରିବି ନାହିଁ।’