ରବିବାର ଠାରୁ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ

୧୦୨ ପ୍ରାମାଣିକ, କ୍ଷୁଦ୍ର ଓ ଆନିମେସନ ଫିଲ୍ମ ସ୍ୱର୍ଣ୍ଣ ଓ ରୌପ୍ୟ ଶଙ୍ଖ ପୁରସ୍କାର ପାଇଁ ପ୍ରତିଯୋଗିତା କରିବେ

ଭୁବନେଶ୍ବର : ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଏମ୍‌ଆଇଏଫ୍‌ଏଫ୍‌) ଆସନ୍ତା ରବିବାରଠାରୁ ଆରମ୍ଭ ହେବ । ଏହି ଚଳଚ୍ଚିତ୍ର ଉତ୍ସବଟି ସ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ପାଇଁ ଉଦ୍ଦିଷ୍ଟ । ଏହା ମୁମ୍ବାଇର ଫିଲ୍ମ ଡିଭିଜନ କମ୍ପେ୍ଲକ୍ସ ପରିସରରେ ଆୟୋଜିତ ହେବ । ସେଠାରେ ମଧ୍ୟ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ରହିଛି । ସମ୍ପୃକ୍ତ ପରିସରକୁ ଏହି ଚଳଚ୍ଚିତ୍ର ଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଛି । ଏହି ଉତ୍ସବ ଏକ ସପ୍ତାହ ଧରି ଚାଲିବ।

ଉତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ୱର୍ଲିସ୍ଥିତ ନେହେରୁ ସେଣ୍ଟରରେ ଅନୁଷ୍ଠିତ ହେବ । ଚଳଚ୍ଚିତ୍ର ଉତ୍ସବ କିନ୍ତୁ ଫିଲ୍ମ ଡିଭିଜନ କମ୍ପେ୍ଲକ୍ସରେ ଆୟୋଜିତ ହେବ ଏବଂ ସେଠାରେ ଥିବା ଆଧୁନିକ ପ୍ରେକ୍ଷାଳୟ ସମୂହରେ ଚିତ୍ରଗୁଡିକୁ ପ୍ରଦର୍ଶିତ କରାଯିବ। ଏଥର ମୁମ୍ବାଇ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବ ପାଇଁ ସମଗ୍ର ବିଶ୍ୱରୁ ବେଶ୍ ଭଲ ପ୍ରତିନିଧିତ୍ୱ ମିଳିଛି । ମୋଟ ୩୦ଟି ଦେଶରୁ ୮୦୮ଫିଲ୍ମ ଏଥିରେ ପ୍ରତିଯୋଗିତା ବର୍ଗରେ ପ୍ରଦର୍ଶିତ ହେବ । ସେଥିରୁ ୩୫ଟି ଆନ୍ତର୍ଜାତିକ ପ୍ରତିଯୋଗିତା ଓ ୬୭ଟି ଜାତୀୟ ପ୍ରତିଯୋଗିତା ବର୍ଗରେ ସ୍ଥାନିତ ହୋଇଛି। ଏହା ଛଡା ୧୮ଟି ଫିଲ୍ମକୁ ‘ଏମ୍‌ଆଇଏଫ୍‌ଏଫ୍‌ ପ୍ରିଜମ’ ବର୍ଗରେ ପ୍ରଦର୍ଶନ କରାଯିବ।

ଉତ୍ସବରେ ଶ୍ରେଷ୍ଠ ବିବେଚିତ ଚଳଚ୍ଚିତ୍ରକୁ ସ୍ୱର୍ଣ୍ଣ ଶଙ୍ଖ (ଗୋଲଡେଡନ କଞ୍ଚ) ଓ ନଗଦ ୧୦ଲକ୍ଷ ଟଙ୍କା ମିଳିବ । ସେହିଭଳି ଅନ୍ୟାନ୍ୟ ପୁରସ୍କାର ବାବଦରେ ରୌପ୍ୟ ଶଂଖ (ସିଲଭର୍ କଞ୍ଚ) ସମେତ ୫ ଲକ୍ଷରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପୁରସ୍କାର, ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯିବ । ବିଦ୍ୟାର୍ଥୀ ବର୍ଗର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଆଇଡିପିଏ ପୁରସ୍କାର ଏବଂ ପ୍ରଥମଥର ନିର୍ଦ୍ଦେଶନା ଦେଇଥିବା ଶ୍ରେଷ୍ଠ ନିର୍ଦ୍ଦେଶକଙ୍କୁ ଦାଦା ସାହେବ ଫାଲ୍‌କେ ଚିତ୍ର ନଗରୀ ପୁରସ୍କାର ଉତ୍ସବର ସମାପନ ଦିବସରେ ପ୍ରଦାନ କରାଯିବ। ସମ୍ମାନଜନକ ଡକ୍ଟର ଭି ଶାନ୍ତାରାମ ଜୀବନବ୍ୟାପୀ ଉପଲବ୍ଧି ପୁରସ୍କାର ବାବଦରେ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ସୁବର୍ଣ୍ଣ ଶଙ୍ଖ, ୧୦ଲକ୍ଷ ଟଙ୍କା ଓ ପ୍ରଶଂସାପତ୍ର ବୃତ୍ତଚିତ୍ର ବର୍ଗରେ ଶ୍ରେଷ୍ଠତ୍ୱ ପାଇଁ ଜଣେ ପ୍ରତିଷ୍ଠିତ ଚିତ୍ର ନିର୍ମାତାକୁ ପ୍ରଦାନ କରାଯିବ । ଅତୀତରେ ପ୍ରସିଦ୍ଧ ଚିତ୍ର ନିର୍ମାତା ଏସ୍ କୃଷ୍ଣସ୍ୱାମୀ, ଶ୍ୟାମ ବେନେଗାଲ, ନରେଶ ବେଦୀ, ବିଜୟା ସୁଲୟ ପ୍ରମୁଖଙ୍କୁ ଏହି ପୁରସ୍କାର ମିଳିଛି । ପ୍ରଖ୍ୟାତ ଚିତ୍ର ନିର୍ମାତା ଭି. ଶାନ୍ତାରାମଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ଏଥର ‘କଣ୍ଟ୍ରି ଫୋକସ’ ବର୍ଗରେ ଏହି ଚଳଚ୍ଚିତ୍ର ଉତ୍ସବରେ ବାଂଲାଦେଶ ସ୍ଥାନ ପାଇଛି । ବାଂଲାଦେଶ ତାହାର ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ସେ ଦେଶର ୧୧ଟି ଚିତ୍ରକୁ ସ୍ୱତନ୍ତ୍ର ପ୍ୟାକେଜରେ ପ୍ରଦର୍ଶିତ କରାଯିବ । ସେଥି ମଧ୍ୟରେ ରହିଛି ବହୁଚର୍ଚ୍ଚିତ ଫିଲ୍ମ “ହସିନା ଏ ଡଟର୍ସ ଟେଲ” । ଏହାଛଡା ନେଟଫିକ୍ସ ଅରିଜିନନାଲ ସିରିଜ୍‌ର ‘ମାଇଟି ଲିଟଲ ଭୀମ: ଆଇ ଲଭ୍ ତାଜମହଲ” ଏପିସୋଡ ମଧ୍ୟ ଏଥିରେ ବିଶ୍ୱ ଦର୍ଶକଙ୍କ ପାଇଁ ପ୍ରଥମ ପ୍ରଦର୍ଶିତ ହେବ। ଭାରତ ଓ ଜାପାନ ଦ୍ୱାରା ମିଳିତଭାବେ ପ୍ରସ୍ତୁତ ପ୍ରଥମ ଆନିମେସନ ଫିଲ୍ମ -ରାମାୟଣ: ଦି ଲିଜେଣ୍ଡ ଅଫ ପ୍ରିନ୍ସ ରାମ’କୁ ମଧ୍ୟ ଏଥିରେ ସ୍ୱତନ୍ତ୍ରଭାବେ ପ୍ରଦର୍ଶିତ କରାଯିବ ।

ସମ୍ବନ୍ଧିତ ଖବର