ମୁମ୍ବାଇରେ ତୃତୀୟ ଲହର ସଂକ୍ରମଣ ଶୀର୍ଷରେ: ଅକ୍ସିଜେନ୍‌ ବେଡ୍‌ରେ ଥିବା ୯୬% ରୋଗୀ ଟିକା ନେଇନାହାନ୍ତି

ମୁମ୍ବାଇ: ମୁମ୍ବାଇରେ ତୃତୀୟ ଲହର ସଂକ୍ରମଣ ଶୀର୍ଷରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଦୈନିକ ସଂକ୍ରମଣ ଲଗାତାର ଭାବେ ବଢ଼ୁଛି। ଜାନୁଆରି ଶେଷରୁ ଫେବ୍ରୁଆରି ଆରମ୍ଭ ମଧ୍ୟରେ ସଂକ୍ରମଣ ବେଶି ବଢ଼ିବ ବୋଲି ଆକଳନ କରାଯାଇଛି। ଗ୍ରାମୀଣ ଅଞ୍ଚଳରେ ବି ସଂକ୍ରମଣ ବଢ଼ୁଛି। ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ମୁମ୍ବାଇରେ ବି ସଂକ୍ରମଣ କମ୍‌ ନାହିଁ। ମୁମ୍ବାଇ ଏବେ ତୃତୀୟ ଲହରର ଶୀର୍ଷରେ ଅଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ ଟାସ୍କ ଫୋର୍ସ‌୍ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କହିଛନ୍ତି। ଡାକ୍ତର ଯୋଶୀ କହିଛନ୍ତି, ବୁଧବାର ଦିନ ରାଜ୍ୟରେ ସଂକ୍ରମଣ ମାମଲା ଅଧିକ ଥିଲେ ସୁଦ୍ଧା ଦୈନିକ ପଜିଟିଭ୍‌ ହାର କମ୍‌ ରହିଛି। ଜାନୁଆରି ୯ରେ ମହାରାଷ୍ଟ୍ରରେ ପଜିଟିଭ୍‌ ହାର ୨୮ ପ୍ରତିଶତ ଥିବାବେ‌ଳେ ଆଜି ଏହା ୨୪.୩ ପ୍ରତିଶତ ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ମୁମ୍ବାଇରେ ଦୈନିକ ପଜିଟିଭ୍‌ ହାର ବଢ଼ିପାରେ ବୋଲି ମୁମ୍ବାଇ କମିସନର ଆଇ ଏସ୍‌ ଚହଲ କହିଛନ୍ତି। ବୁଧବାର ଦିନ ରାଜ୍ୟରେ ୮୬ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଜଣ ମୁମ୍ବାଇର ଏବଂ ୫୩ ଜଣ ପୁଣେର। ବିଏମ୍‌ସି କମିସନର କହିଛନ୍ତି, ମୁମ୍ବାଇରେ ଅକ୍ସିଜେନ୍‌ ବେଡ୍‌ରେ ଥିବା ୯୬ ପ୍ରତିଶତ ରୋଗୀ ଗୋଟିଏ ଡୋଜ୍‌ ଟିକା ବି ନେଇନାହାନ୍ତି। ମୁମ୍ବାଇରେ ଏବେ ୧୯୦୦ ରୋଗୀ ଅକ୍ସିଜେନ୍‌ ବେଡ୍‌ରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୯୬ ପ୍ରତିଶତ ଟିକା ନେଇନାହାନ୍ତି।

ସମ୍ବନ୍ଧିତ ଖବର