ମୁମ୍ବାଇ: ଭାରତର ଆର୍ଥିକ ରାଜଧାନୀ କୁହାଯାଉଥିବା ବମ୍ବେ ମହାନଗରୀରେ ଗାଡ଼ି ଚଳାଇବା ଆଦୌ ସହଜ ନୁହେଁ। ରାସ୍ତାଗୁଡ଼ିକରେ ଏତେ ଭିଡ଼ ଯେ ଡ୍ରାଇଭରକୁ ନାକେଦମ୍ ହେବାକୁ ପଡ଼େ। ପୁଣି ପ୍ରଦୂଷଣ କାହିଁରେ କ’ଣ। ତେବେ ଗାଡ଼ିଚାଳକଙ୍କ ପାଇଁ ଏହା ବିଶ୍ବର ସବୁଠାରୁ ଚାପପୂର୍ଣ୍ଣ ନଗରୀ ବୋଲି ନିକଟରେ ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ରାଜଧାନୀ ଦିଲ୍ଲୀ ମହାନଗରୀର ନାମ ଅଛି ଚାରି ନମ୍ବରରେ।
ୟୁକେ କାର୍ ଶେୟାରିଂ କମ୍ପାନି ହିୟାକାର ପକ୍ଷରୁ ଏହି ସର୍ଭେ କରାଯାଇଛି। ବିଶ୍ବର ୩୬ଟି ସବୁଠୁ ଅଧିକ ପ୍ରଦୂଷିତ ନଗରୀକୁ ଏହା ସର୍ଭେ ପାଇଁ ବାଛିଥିଲା। ଏହି ପ୍ରଦୂଷିତ ନଗରୀଗୁଡ଼ିକ ଗାଡ଼ିଚାଳକଙ୍କ ପାଇଁ କେତେ ଆହ୍ବାନପୂର୍ଣ୍ଣ ତାହା ଆକଳନ କରିବା ଏହି ସର୍ବେକ୍ଷଣର ଉଦ୍ଦେଶ୍ୟ ଥିଲା। ମୁଣ୍ଡ ପିଛା କାର୍ ସଂଖ୍ୟା, ନଗରୀରେ ଥିବା ମୋଟ ଗାଡ଼ି ସଂଖ୍ୟା, ଟ୍ରାଫିକ୍ ଭିଡ଼ କେତେ ଭୟଙ୍କର, ରାସ୍ତାର ମାନ, ପବ୍ଲିକ୍ ଟ୍ରାନ୍ସପୋର୍ଟ (ଜନପରିବହନ) ସୁବିଧା ଅଛି କି ନାହିଁ, ବର୍ଷକୁ ହେଉଥିବା ଦୁର୍ଘଟଣା ସଂଖ୍ୟା ଏବଂ ନଗରୀରେ ଜନସଂଖ୍ୟାର ଘନତା ଆଦି ସର୍ଭେରେ ବିଚାରକୁ ନିଆଯାଇଥିଲା।
ମୋଟ ମାର୍କ ୧୦ ରଖାଯାଇଥିବା ବେଳେ ମୁମ୍ବାଇ ସେଥିରୁ ୭.୪ ମାର୍କ ରଖି ଗାଡ଼ିଚାଳକଙ୍କ ପାଇଁ ସବୁଠୁ ଚାପଜନକ ବା ଖରାପ ନଗରୀଭାବେ ପ୍ରଥମ ସ୍ଥାନ ଅଧିକାର କରିଛି। ଦିଲ୍ଲୀ ଏହି କ୍ରମରେ ୫.୯ ନମ୍ବର ରଖି ଚତୁର୍ଥ ସ୍ଥାନ ଅଧିକାର କରିଛି। ତା’ ତଳକୁ ବେଙ୍ଗାଲୁରୁ ୪.୭ ମାର୍କ ରଖି ୧୧ଶ ସ୍ଥାନ ପାଇଛି। ତେବେ ଚାଳକଙ୍କ ପାଇଁ ସବୁଠୁ କମ୍ ଚାପପୂର୍ଣ୍ଣ ନଗରୀ ଭାବେ ବିବେଚିତ ହୋଇଛି ପେରୁର ରାଜଧାନୀ ଲିମା ନଗରୀ ଯାହା ୨.୧ ମାର୍କ ରଖିଛି। ହିୟାକାର ସର୍ବେକ୍ଷଣ ଅନୁସାରେ ଗାଡ଼ିଚାଳକଙ୍କ ପାଇଁ ସବୁଠୁ ଅଧିକ ଚାପପୂର୍ଣ୍ଣ ପ୍ରଥମ ୧୦ଟି ନଗରୀ ହେଉଛି, ଯଥାକ୍ରମେ ମୁମ୍ବାଇ (୭.୪), ଫ୍ରାନ୍ସ (୬.୪), ଜାକର୍ତ୍ତା (୬.୦), ଦିଲ୍ଲୀ (୫.୯), ନ୍ୟୁୟର୍କ (୫.୬), କୁଆଲା ଲୁମ୍ପୁରୁ (୫.୩), ନାଗୋୟା (୫.୧), ଲଣ୍ଡନ (୫.୦), ମେକ୍ସିକୋ ସିଟି (୪.୯) ଓ ଓସାକା (୪.୯)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/traffic-fine-4bk.jpg)