ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତକୁ ନେଇ ମହାରାଷ୍ଟ୍ର ବିଧାନସଭା ସଦସ୍ୟ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ କରିବାକୁ ଥିବା ବିକ୍ଷୋଭକୁ ବନ୍ଦ କରି ଦେଇଥିଲେ। ହେଲେ ବିକ୍ଷୋଭ ବନ୍ଦ ପରେ ବି ଉଭୟ ରବି ରାଣା ଏବଂ ତାଙ୍କ ସାଂସଦ ପତ୍ନୀ ନବନୀତ୍ ରାଣାଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ବର୍ତ୍ତମାନ ଦୁହେଁ ଆସନ୍ତାକାଲି ବାନ୍ଦ୍ରା କୋର୍ଟରେ ହାଜର ହେବେ। ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

Advertisment

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିସା ଜପ କରିବାକୁ ଧମକ ଦେଇଥିଲେ ‘ବିଧାୟକ-ସାଂସଦ’ ରାଣା ଦମ୍ପତି। ହେଲେ ପରେ ଦୁହେଁ ସେଭଳି କରିବେ ନାହିଁ ବୋଲି କହିଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୁମ୍ବାଇ ଆସିବାର ଯୋଜନା ରହିଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ।

ରବିବାର ସନ୍ଧ୍ୟାରେ ମୁମ୍ବାଇରେ ମାଷ୍ଟର ଦୀନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଯେଉଁଠାରେ ସେ ପ୍ରଥମ ଲତା ଦୀନାନାଥ ମଙ୍ଗେଶକର ପୁରସ୍କାର ପାଇବେ।

ତେବେ ପୂର୍ବରୁ ସାମ୍ବାଦିକମାନଙ୍କୁ ରାଣା କହିଥିଲେ, ଯେଉଁ ହିନ୍ଦୁତ୍ବ ଆଦର୍ଶବାଦ ଆଧାରରେ ଭୋଟ୍‌ ଭିକ୍ଷା କରି ତାଙ୍କ ଦଳ ପାଇଁ ଆସନ ହାସଲ କରିଥିଲେ ଉଦ୍ଧବ ସାହେବ ତାହାକୁ ଭୁଲି ଯାଇଛନ୍ତି। ସେ ବାଲା ସାହେବଙ୍କ ବାଣୀ ଭୁଲି ଯାଇଛନ୍ତି। ତେଣୁ, ବାଲା ସାହେବଙ୍କ ବାଣୀ ସ୍ମରଣ କରାଇ ଦେବା ଲାଗି ଶନିବାର ପୂର୍ବାହ୍ନ ୯ଟା ବେଳେ ଆମେ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ କରିବୁ। ଆମେ ଶନ୍ତିଶୃଙ୍ଖଳାରେ ସେଠାକୁ ଯିବୁ ଏବଂ ମୁମ୍ବାଇବାସୀଙ୍କର କୌଣସି ଅସୁବିଧା କରିବୁ ନାହିଁ।