ନୂଆଦିଲ୍ଲୀ : ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିବା ଜେଟ୍ ଏୟାରେଓ୍ଵଜ୍ ବିମାନ ୯ଡବ୍ଲ୍ୟୁ ୧୧୬ ରବିବାର ରୋମାନିଆର ରାଜଧାନୀ ବୁକାରେଷ୍ଟରେ ଜରୁରୀ ଅବତରଣ କରିଛି। ଏକ ମେଡିକାଲ୍ ଏମର୍ଜେନ୍ସି ଯୋଗୁ ଏଭଳି କରାଯାଇଥିବା ଯଦିଓ ଜେଟ୍ ଏୟାରେଓ୍ଵଜ୍ ଦର୍ଶାଇଛି, କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ଏହି ଘଟଣା ଯୋଗୁ ଯାତ୍ରୀମାନଙ୍କୁ ୪ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ହଇରାଣ ହେବାକୁ ପଡ଼ିଛି।
ବୁକାରେଷ୍ଟରୁ ଲଣ୍ଡନ ପ୍ରାୟ ୨,୦୦୦ କିଲୋମିଟର ଦୂର ହୋଇଥିବା ବେଳେ ଏହି ଦୁଇ ରାଜଧାନୀ ମଧ୍ୟରେ ଉଡ଼ାଣ ପାଇଁ ବିମାନକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ତେବେ ଯାତ୍ରୀଙ୍କ ମଧ୍ୟରେ ଥିବା ବିଶିଷ୍ଟ ଲେଖକ ସୁହେଲ ସେଠ୍ ଘଟଣାକୁ ନେଇ ଟ୍ଵିଟର୍ରେ ଏୟାରେଓ୍ଵଜ୍ କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା କରିବା ସହିତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କୁ ମଧ୍ୟ ଟ୍ଵିଟ୍ କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ମନ୍ତ୍ରୀ ପ୍ରଭୁ ଏହାର ସଙ୍ଗେ ସଙ୍ଗେ ଜବାବ ଦେଇ କହିଥିଲେ, ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏହାର ପ୍ରତିକାର ବ୍ୟବସ୍ଥା କରିଛନ୍ତି। ଘଟଣାରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ) ପକ୍ଷରୁ କିଛି କରିବାର ନ ଥିଲା। ତେଣୁ ବିମାନ ଉଡ଼ାଣ ପାଇଁ ଏହାର ନିର୍ମାତା ବୋଇଂ ପକ୍ଷରୁ ସବୁଜ ସଂକେତକୁ ଅପେକ୍ଷା କରାଯାଇଥିଲା। ବିମାନରେ ଅତ୍ୟଧିକ ଇନ୍ଧନ ରହିଥିଲା। କିନ୍ତୁ କୌଣସି ବୈଷୟିକ ତ୍ରୁଟି ନ ଥିବା ମନ୍ତ୍ରୀ ସ୍ପଷ୍ଟ କରିଥିଲେ।