ମୁମ୍ବାଇ: ବକ୍‌ରିଦ୍‌ ନିମନ୍ତେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତି ଘରକୁ ୨ଟି ଛେଳି ଆଣିବାରୁ ମୁମ୍ବାଇର ମୀରା ରୋଡ୍‌ସ୍ଥିତ ଉକ୍ତ ହାଉସିଙ୍ଗ୍‌ ସୋସାଇଟିର ଅନ୍ୟ ବାସିନ୍ଦାମାନେ ପ୍ରବଳ ପ୍ରତିବାଦ କରିବା ସହିତ ହନୁମାନ ଚାଳିଶା ପାଠ କରିଥିବା କଥା ଆଜି ପୁଲିସ କହିଛି।

Advertisment

ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟୁଥିବା ବେଳେ ଭାୟାନ୍ଦର୍‌ ଅଞ୍ଚଳରେ ଅବସ୍ଥିତ ଉକ୍ତ ‘ହାଉସିଙ୍ଗ୍‌ ସୋସାଇଟି’କୁ ପୁଲିସ ଡକାଯାଇଥିଲା। ‘ସିସିଟିଭି’ ଫୁଟେଜ୍‌ରେ ଦେଖାଯାଉଛି ମୋହସିନ୍‌ ଶେଖ୍‌ ନାମକ ଜଣେ ବ୍ୟକ୍ତି ଲିଫ୍‌ଟ୍‌ରୁ ବାହାରୁଛନ୍ତି। ତାଙ୍କ ସାଥିରେ ଅଛନ୍ତି ଜଣେ ମହିଳା ଓ ଗୋଟାଏ ପିଲା। ତା’ପରେ ଶେଖ୍ ନିଜ ଘର ଭିତରକୁ ୨ଟି ଛେଳି ଅଡ଼େଇ ନେଉଥିବା ଦେଖାଯାଉଛି।

Neighbours Object As Man Brings Goat Home In Housing Society, Cops Called Image Courtesy of NDTV

ଶେଖ୍‌ କହନ୍ତି, ଉକ୍ତ ଆବାସିକ ସୋସାଇଟିରେ ପ୍ରାୟ ୨୦୦ରୁ ୨୫୦ ସଂଖ୍ୟାଲଘୁ ପରିବାର ବାସ କରନ୍ତି। ‘ବକ୍‌ରିଦ୍‌’ ନିମନ୍ତେ ପ୍ରତିବର୍ଷ ଛେଳି ଆଣି ରଖିବା ଲାଗି ଏହି ଆବାସିକ ସୋସାଇଟିର ନିର୍ମାତା (ବିଲ୍‌ଡର୍‌) ନିର୍ଦ୍ଧାରିତ ସ୍ଥାନ ଯୋଗାଇ ଦିଅନ୍ତି। କିନ୍ତୁ, ଏବର୍ଷ ‌ଆବାସିକ ସୋସାଇଟି କଥାରେ ପଡ଼ି ସେ ବିଲ୍‌ଡର୍‌ ଛେଳି ରଖିବାକୁ ସ୍ଥାନ ଯୋଗାଇ ଦେଲେ ନାହିଁ। ଫଳରେ ମତେ ଛେଳି ଦୁଇଟାଙ୍କୁ ଘର ଭିତରକୁ ନେବାକୁ ପଡ଼ିଲା। କିନ୍ତୁ, ସୋସାଇଟି ପରିସରରେ ଛେଳି ଦୁଇଟାଙ୍କୁ ମାରିବା ପାଇଁ ମୁଁ କୌଣସି ଯୋଜନା କରି ନ ଥିଲି।

ପୁଲିସ ହସ୍ତକ୍ଷେପ ଉତ୍ତ୍ୟକ୍ତ ଜନତାକୁ ଶାନ୍ତ କରି ପ୍ରତିଶ୍ରୁତି ଦେଇଛି ଯେ, ନିୟମାନୁସାରେ ଆବାସିକ ପରିସର ମଧ୍ୟରେ ପଶୁବଳି ପାଇଁ ଅନୁମତି ଦିଆଯିବ ନାହିଁ। ଯଦି ଶେଖ୍‌ ଏହି ନିୟମ ଉଲ୍ଲଂଘନ କରିନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗୋଳମାଳ ପରେ ଶେଖ୍‌ ଛେଳି ଦୁଇଟିକୁ ପରିସର ବାହାରକୁ ନେଇଯାଇଥିଲେ। କିନ୍ତୁ, ପୁଲିସ ନିକଟରେ କେହି ଅଭିଯୋଗ କରି ନ ଥିବାରୁ କୌଣସି ମାମଲା ରୁଜୁ କରାଯାଇନାହିଁ।