ନୂଆଦିଲ୍ଲୀ: ୨୦୨୩ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ସ୍ପୋଟିଫଏ, ୟୁଟ୍ୟୁବ୍, ଗୁଗଲ୍ ଏବଂ ଅନ୍ୟାନ୍ୟ ବ୍ରାଣ୍ଡଗୁଡିକ ସେମାନଙ୍କର ବାର୍ଷିକ 'ରାପ୍' ରିପୋର୍ଟ ଏବଂ ସେମାନଙ୍କ ଟପ୍ ଟ୍ରେଣ୍ଡିଂ 'ସର୍ଚ୍ଚ ଲିଷ୍ଟ' ସେୟାର କରୁଛନ୍ତି। ଖାଦ୍ୟ ଡେଲିଭର କରୁଥିବା କମ୍ପାନି ସ୍ବିଗ୍ଗି ମଧ୍ୟ ବାର୍ଷିକ ଖାଦ୍ୟ ବିତରଣ ରିପୋର୍ଟ ପ୍ରକାଶ କରିଛି। ଏହା ଗ୍ରାହକଙ୍କ ଖାଦ୍ୟ ପସନ୍ଦ ବିଷୟରେ ସୂଚନା ପ୍ରଦାନ କରେ।
ଏହି ରିପୋର୍ଟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ଗ୍ରାହକ ୪୨.୩ଲକ୍ଷ ଟଙ୍କା ମୂଲ୍ୟର ଖାଦ୍ୟ ଅର୍ଡର କରିଥିବା ସାମ୍ନାକୁ ଆସିଛି। ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ। ହେଲେ ଏହା ସତ। ସ୍ବିଗ୍ଗିର ରିପୋର୍ଟ ମୁତାବକ, ମୁମ୍ବାଇର ଜଣେ ଯୁବକ ୪୨.୩ଲକ୍ଷ ଟଙ୍କା ମୂଲ୍ୟର ଖାଦ୍ୟ ଅର୍ଡର କରିଥିବା ବେଳେ ହାଇଦ୍ରାବାଦର ଅନ୍ୟ ଜଣେ ବ୍ୟକ୍ତି ଇଡଲି ପାଇଁ ୬ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା ସହ ଝାନ୍ସିର ଜଣେ ପରିବାର ବଡ଼ ପାର୍ଟି ପାଇଁ ୨୬୯ ପ୍ରକାରର ଖାଦ୍ୟ ଅର୍ଡର କରିଥିବା ବେଳେ ଦୂର୍ଗା ପୂଜା ସମୟରେ ଲୋକ ୭.୭ମିଲିୟନ ଗୁଲାବ ଜାମୁନ ଅର୍ଡର କରିଥିଲେ। ଏହା ସହ ୨୦୨୩ରେ ୮.୫ମିଲିୟନ ଚକୋଲେଟ କେକର ଅର୍ଡର ଗ୍ରହଣ କରିଥିଲା ସ୍ବିଗ୍ଗି। ଭାଲେଣ୍ଟାଇନ୍ ଡେ’ରେ ଅଧିକ କେକ୍ ଅର୍ଡର କରାଯାଇଥିବା ସ୍ବିଗ୍ଗି ନିଜ ରିପୋର୍ଟରେ ଦର୍ଶାଇଛି।
ଅକ୍ଟୋବରରେ ହୋଇଥିବା ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ ସମୟରେ ଚଣ୍ଡିଗଡ଼ର ଏକ ବିରିୟାନୀ ପ୍ରେମୀ ପରିବାର ଗୋଟିଏ ଥରରେ ୭୦ପ୍ଲେଟ ବିରିୟାନୀ ଅର୍ଡର କରିଥିଲେ। ଏହି ମ୍ୟାଚ୍ ସମୟରେ ସ୍ବିଗ୍ଗି ପ୍ରତି ମିନିଟରେ ହାରାହାରି ୨୫୦ରୁ ଅଧିକ ବିରିୟାନି ଅର୍ଡର ଗ୍ରହଣ କରିଥିଲା।