ମୁମ୍ବାଇ: କିଛି ଦିନ ତଳେ ମୁମ୍ବାଇରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଥିଲା। ଏକ ସ୍ପିଡବୋଟ ସହ ଧକ୍କା ଖାଇବା ପରେ ଏହି ଦୁର୍ଘଟଣା ଘଟିଥିଲା। ଏବେ ଏହି ଘଟଣା ସହ ଜଡ଼ିତ ଏକ ସୂଚନା ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ, ଡଙ୍ଗା ବୁଡ଼ି ଯାଉଥିବା ଦେଖି ଯାତ୍ରୀମାନେ ନିଜ ପିଲାମାନଙ୍କୁ ସମୂଦ୍ରକୁ ଫିଙ୍ଗିବାକୁ ଚିନ୍ତା କରୁଥିଲେ। ହେଲେ ଏହା କରିବା ପୂର୍ବରୁ ସେମାନଙ୍କୁ ଅଟକାଇଥିଲେ ସିଆଇଏସଏଫ୍ ଅଧିକାରୀ।

Advertisment

ସୂଚନା ମୁତାବକ, ଡିସେମ୍ବର ୧୮ରେ ଏହି ଦୁର୍ଘଟଣା ଘଟିଥିଲା। ସବୁଦିନ ପରି ସମୂଦ୍ର ତଟ ସୁରକ୍ଷା ଦାୟିତ୍ବରେ ଥିବା ସିଆଇଏସ୍ଏଫ୍ କନଷ୍ଟେବଳ ଅମୋଲ ସାୱନ୍ତ (୩୬) ଏବଂ ତାଙ୍କର ଦୁଇ ସହକର୍ମୀ ଦୁର୍ଘଟଣା ଘଟିବା ଦିନ ମଧ୍ୟ ପାଟ୍ରୋଲିଂ ପାଇଁ ବାହାରିଥିଲେ। ଏହି ସମୟରେ ଏକ ଡଙ୍ଗ‌ା ବୁଡ଼ୁଥିବା ନେଇ ତାଙ୍କୁ ସୂଚନା ମିଳିଥିଲା। ସେ ତୁରନ୍ତ ଡଙ୍ଗା ନେଇ ଦୁର୍ଘଟଣାଗ୍ରସ୍ତ ଡଙ୍ଗ‌ା ପାଖରେ ପହଞ୍ଚିବା ବେଳେ ଲୋକେ ବୁଡ଼ି ଯାଉଥିବା ଡଙ୍ଗାରୁ ପିଲାଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କୁ ସମୂଦ୍ରକୁ ଫିଙ୍ଗିବାକୁ ଉଦ୍ୟମ କରୁଥିବା ଦେଖିଥିଲେ। ଏହା ଦେଖି ଏଭଳି ନକରିବାକୁ କହିବା ସହ ଅମୋଲ ଓ ତାଙ୍କ ସହକର୍ମୀ ସମସ୍ତଙ୍କୁ ବଞ୍ଚାଇଦେବୁ ବୋଲି ଆଶ୍ବାସନା ଦେଇଥିଲେ। ଏହା ପରେ ସେ ପ୍ରଥମେ ଶିଶୁ ଓ ଦୁର୍ବଳ ଥିବା ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଏହା ପରେ ଗୋଟାଏ ଗୋଟାଏ କରି ଲୋକଙ୍କୁ ଉଦ୍ଧାର କରିଥିଲେ। ୫୦-୬୦ଜଣ ଲୋକଙ୍କ ମଧ୍ୟରୁ ୧୪ଜଣଙ୍କୁ ବଞ୍ଚାଯାଇ ପାରିନଥିଲା।