ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲାଣି ମୁମ୍ବାଇ, ମାସ୍କ ପିନ୍ଧିବାକୁ ଡାକ୍ତରଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ଅପଖ୍ୟାତି ରହିଛି। ଶୀତଦିନେ ଏଠାରେ ବାୟୁପ୍ରଦୂଷଣ ସାଂଘାତିକ ହୋଇଥାଏ। କିନ୍ତୁ ଦେଶର ଅର୍ଥନୈତିକ ରାଜଧାନୀ ଭାବେ ଜଣାଶୁଣା ମୁମ୍ବାଇ ଏବେ ଏ କ୍ଷେତ୍ରରେ ଦିଲ୍ଲୀକୁ ଟପିବାକୁ ବସିଲାଣି। ମୁମ୍ବାଇର ବାୟୁ ପ୍ରଦୂଷଣ ଚଳିତ ସପ୍ତାହରେ ଅନେକ ଥର ଦିଲ୍ଲୀକୁ ଅତିକ୍ରମ କରିଛି। ଫଳରେ ବିଶ୍ବର ବା ଦେଶର ପ୍ରମୁଖ ପ୍ରଦୂଷିତ ସହର ତାଲିକାରେ ଦିଲ୍ଲୀ ସହିତ ମୁମ୍ବାଇ ଯୋଡ଼ି ହେଲାଣି।

ବିଶେଷଜ୍ଞଙ୍କ କହିବାନୁଯାୟୀ, ବ୍ୟାପକମାତ୍ରାରେ ଚାଲିଥିବା ନିର୍ମାଣ କାର୍ଯ୍ୟ, ଗାଡ଼ିରୁ ନିର୍ଗତ ଧୂଆଁ ଏବଂ ଅ‌ନ୍ୟାନ୍ୟ କେତେକ କାରଣରୁ ମୁମ୍ବାଇର ବାୟୁ ମାନ ବିଗିଡିବାରେ ଲାଗିଛି।

ମୁମ୍ବାଇରେ ପିଏମ୍‌ ୨.୫ ସ୍ତର ଶୁକ୍ରବାର ସକାଳ ୮ଟା ୩୦ରେ ୩୦୮ ରହିଥିଲା। କିନ୍ତୁ ଦିଲ୍ଲୀରେ ଉକ୍ତ ସମୟରେ ଏହି ସ୍ତର ୨୫୯ ରହିଥିଲା ବୋଲି ସରକାରୀ ତଥ୍ୟକୁ ଉଦ୍ଧାର କରି ବିବିସି ଦର୍ଶାଇଛି। ପିଏମ୍‌ ୨.୫ ଦ୍ବାରା ଫୁସଫୁସ ସଂକ୍ରମିତ ହେବା ସହିତ ଅନେକ ରୋଗ ସୃଷ୍ଟି କରିଥାଏ। ପିଏମ୍‌ ୨.୫ ସ୍ତର ୨୦୦ରୁ ୩୦୦ ମଧ୍ୟରେ ରହିଲେ ତାହାକୁ ଖରାପ ବୋଲି ବିବେଚନା କରାଯାଇଥାଏ। ୩୦୦ରୁ ୪୦୦ ଭିତରେ ରହିଲେ ତାହାକୁ ଅତି ଖରାପ ବୋଲି ବିବେଚନା କରାଯାଇଥାଏ। ଦିଲ୍ଲୀ, କୋଲକାତା, କାନପୁର, ପାଟନା ସମେତ ଅଧିକାଂଶ ସହରରେ ବହୁ ସମୟରେ ପିଏମ୍‌ ୨.୫ ସ୍ତର ନିରାପଦ ସୀମା ଠାରୁ ବହୁ ଅଧିକ ରହିଥାଏ। ଶୂନରୁ ୫୦ ଭିତରେ ରହିଥିଲେ ତାହାକୁ ଭଲ ବୋଲି ବିବେଚନା କରାଯାଇଥାଏ। ବାୟୁ ମାନ ସୂଚକ ବା ଏକ୍ୟୁଆଇ ୫୧ରୁ ୧୦୦ ଭିତରେ ରହିଲେ ସନ୍ତୋଷଜନକ ବୋଲି ଧରାଯାଇଥାଏ।

ଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା କିମ୍ବା ଖରାପ ବାୟୁ ମାନ ପାଇଁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନା ଆସିବା ଲୋକଙ୍କ ସଂଖ୍ୟା ମୁମ୍ବାଇରେ ବଢ଼ିବାରେ ଲାଗିଛି। ଡାକ୍ତରମାନେ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥିସହିତ ଆବଶ୍ୟକ ନଥିଲେ ବାହାରକୁ ନଯିବା ପାଇଁ କହିଛନ୍ତି। ତେବେ ବାୟୁମାନରେ ଉନ୍ନତି ଆଣିବା ପାଇଁ ଜରୁରୀ ପଦକ୍ଷେପ ନିଆଯାଉଛି ବୋଲି ମୁମ୍ବାଇ ମହାନଗର ନିଗମର ଅଧିକାରୀମାନେ କହିଛନ୍ତି। ଭାରତରେ ଖରାପ ବାୟୁ ମାନ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ଲାନସେଟ୍‌ ରିପୋର୍ଟ ଅନୁଯାୟୀ, ଭାରତରେ ୨୦୧୯ରେ ପ୍ରଦୂ‌ଷଣ ଯୋଗୁ ୨୩ ଲକ୍ଷରୁ ଅଧିକ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି।

ସମ୍ବନ୍ଧିତ ଖବର