ଲୋକଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକର: ଏହି ଇମେଲ ଖୋଲିବା ମାତ୍ରେ ଚୋରି ହେଉଛି ବ୍ୟାଙ୍କ ବିବରଣୀ ସହ ଅନେକ ବ୍ୟକ୍ତିଗତ ତଥ୍ୟ

ମୁମ୍ବାଇ: ସୋସିଆଲ ମିଡିଆରେ ଖୁବ ସକ୍ରିୟ ମୁମ୍ବାଇ ପୁଲିସ। ଅନେକ ସମୟରେ ଲୋକମାନଙ୍କୁ ସଚେତନ କରିବାଠାରୁ ଆରମ୍ଭ କରି ସେମାନଙ୍କୁ ଠିକ ବାଟ ଦେଖାଇବାର କାମ ମୁମ୍ବାଇ ପୁଲିସ କରିଥାଏ | ଏବେ ମୁମ୍ବାଇ ପୁଲିସ ଏକ ସତର୍କ ସୂଚନା ଜାରି କରି ଲୋକଙ୍କୁ ଆସୁଥିବା ନକଲି ଇମେଲରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି | ନକଲି ମେଲର ଏକ ନମୁନା ମଧ୍ୟ ପୋଷ୍ଟ କରି ଲୋକଙ୍କୁ ଇମେଲଟି ନଖୋଲିବା ପାଇଁ କହିଛି ମୁମ୍ବାଇ ପୁଲିସ |

ମୁମ୍ବାଇ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ମାଗଣାରେ କୋଭିଡ-୧୯ ପରୀକ୍ଷା କରାଇବା ପାଇଁ ଏକ ଇମେଲ ଲୋକମାନଙ୍କ ପାଖକୁ ଆସୁଛି | ଇମେଲରେ ଦିଆଯାଇଥିବା ଲିଙ୍କ ଖୋଲିବା ପରେ ଉକ୍ତ ବ୍ୟକ୍ତିଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଯାଉଛି | ଏ ସମ୍ପର୍କରେ ମୁମ୍ବାଇ ପୁଲିସ କମିଶନର ଏକ ଟୁଇଟ୍ କରି ଲେଖିଛନ୍ତି ଯେ, ଦୟାକରି ଲୋଭ କରନ୍ତୁ ନାହିଁ | ଫିସିଂ ମେଲ୍ ମାଧ୍ୟମରେ ହ୍ୟାକରମାନେ ମାଗଣା କରୋନା ପରୀକ୍ଷା କରିବାର ଅଫର ପ୍ରଦାନ କରି ଆପଣଙ୍କୁ ଫସାଇବାକୁ ଚେଷ୍ଟା କରିବେ | ଯଦି ଆପଣଙ୍କୁ ଏଭଳି କିଛି ଇମେଲ ଆସୁଛି, ତେବେ ଏହାକୁ ଖୋଲନ୍ତୁ ନାହିଁ |

ଗତ ସପ୍ତାହରେ ଭାରତର ‘କମ୍ପ୍ୟୁଟର ଏମରଜେନସି ରେସପନ୍ସ ଟିମ’ ସାଇବର ଆଟାକକୁ ନେଇ ଆଲର୍ଟ ଜାରି କରିଥିଲା । କମ୍ପ୍ୟୁଟର ଏମରଜେନସି ରେସପନ୍ସ ଟିମ ଅନୁଯାୟୀ, କରୋନା ମହାମାରୀର ସମୟରେ ହ୍ୟାକରମାନେ ୨୦ ଲକ୍ଷ ଆକାଉଣ୍ଟକୁ ଟାର୍ଗେଟ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ନେଇ ସେମାନେ କୋଭିଡ ସମ୍ବନ୍ଧୀୟ ସୂଚନା ଦେବା ପାଇଁ ଆପଣଙ୍କୁ ଏକ ଲିଙ୍କ୍ ପଠାଇବେ | ଯେଉଁଥିରେ ମାଗଣା କୋଭିଡ-୧୯ ପରୀକ୍ଷା କରିବାର ଅଫର ଦିଆଯାଇଥିବ | ଯଦି ଆପଣ ହଠାତ୍ ଏହି ମେଲ୍ ଖୋଲନ୍ତି, ତେବେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଯିବ | ଏହା ବ୍ୟତୀତ, ଆପଣଙ୍କର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ସୂଚନା ମଧ୍ୟ ଚୋରି ହୋଇଯିବ |

ସମ୍ବନ୍ଧିତ ଖବର