ଘରେ ଚୋରି ହେବାର ଚିନ୍ତା ଛାଡି ଏବେ ଆରାମରେ ବୁଲିବାକୁ ଯାଆନ୍ତୁ, ପୁଲିସ ଜଗିବ ଆପଣଙ୍କ ଘର

ମୁମ୍ବାଇ: ଚୋରଙ୍କ ଭୟରେ ଘର ଛାଡି ଯାଇପାରୁନାହାନ୍ତି କି? କାଳେ ଆପଣଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚୋର ଆପଣଙ୍କ ଘରେ ପଶି ଚୋରି କରିବାର ଆଶଙ୍କା ମନକୁ ଆସୁଛି କି? ତେବେ ଏନେଇ ଆଦୌ ଚିନ୍ତା କରନ୍ତୁ ନାହିଁ, କାରଣ ମୁମ୍ବାଇ ପୁଲିସ ଏବେ ଏକ ଅଭିନବ ପନ୍ଥା ଆପଣାଇଛି | ଘରୁ ବାହାରକୁ ଯିବାବେଳେ ମନକୁ ଘରେ ଚୋରି ହେବାର ଆଶଙ୍କା ବାରମ୍ବାର ଆସିଥାଏ | ଏହି କାରଣରୁ ଅନେକ ଲୋକମାନେ କୌଣସି ସମ୍ପର୍କୀୟଙ୍କ ବିବାହ ହେଉ କିମ୍ବା ଛୁଟିଦିନରେ ବାହାରକୁ ବୁଲିବାକୁ ଯାଆନ୍ତି ନାହିଁ | ଚୋରମାନେ ମଧ୍ୟ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି, ଯେତେବେଳେ ପରିବାର ସଦସ୍ୟ ବାହାରକୁ ବୁଲିବାକୁ ଯିବେ ଏବଂ ସେମାନେ ଚୋରି କରିପାରିବେ |

ତେବେ ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ଏକ ସ୍ୱତନ୍ତ୍ର ପଦକ୍ଷେପ ଆରମ୍ଭ କରିଛି। ପ୍ରତିବର୍ଷ ଗ୍ରୀଷ୍ମଦିନରେ ମୁମ୍ବାଇ ପୁଲିସ ପାଖକୁ ଅଧିକାଂଶ ଚୋରି ଅଭିଯୋଗ ଆସିଥାଏ । କାରଣ ଗ୍ରୀଷ୍ମଦିନରେ ଛୁଟି ପଡୁଥିବାରୁ ଅଧିକାଂଶ ଲୋକ ନିଜ ଗାଁକୁ ଯାଆନ୍ତି କିମ୍ବା ବୁଲିବାକୁ ଯାଇଥାନ୍ତି | ଆଉ ଖାଲି ପଡିଥିବା ଘର ଉପରେ ଚୋରମାନେ ମଧ୍ୟ ନଜର ରଖିଥାନ୍ତି । ତେବେ ମୁମ୍ବାଇ ପୁଲିସ୍ ବର୍ତ୍ତମାନ ଏପରି ଘରେ କ୍ୟୁଆର କୋଡ୍ ଲଗାଇବା ଦିଗରେ କାର୍ଯ୍ୟ କରୁଛି, ଯେଉଁଠାରେ ଲୋକମାନେ ଅସ୍ଥାୟୀ ଭାବରେ ବାହାରେ ରୁହନ୍ତି | ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି ଘର ଛାଡି ଯିବା ପୂର୍ବରୁ ଲୋକମାନେ ସ୍ଥାନୀୟ ପୁଲିସକୁ ଜଣାଇବାକୁ ପଡିବ।

ଯାହାଦ୍ୱାରା ପୁଲିସ ଘର ବାହାରେ ଏକ କ୍ୟୁଆର କୋଡ଼ ଲଗାଇବ | ଏହା ପରେ ପୁଲିସର ମୋବାଇଲ୍ ଭ୍ୟାନ୍ ମଝିରେ ମଝିରେ ଆସି ଏହିସବୁ ଘରକୁ ଆସି ତଦାରଖ କରୁଥିବ | ତେବେ ପୁଲିସ କହିଛି ଯେ ଘରୁ ବାହାରକୁ ଯାଉଥିଲେ କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଯଦି ଆପଣ ଗୋଟିଏ ଦିନ ପାଇଁ ବାହାରକୁ ଯାଉଛନ୍ତି, ତେବେ ଗୋଟିଏ କୋଠରୀରେ ଲାଇଟ ଲଗାଇଦିଅନ୍ତୁ | ଏହା ସହ ଘରେ ସିସିଟିଭି କ୍ୟାମେରା ଲଗାଇଥିଲେ ମୋବାଇଲ୍ ମାଧ୍ୟମରେ ନଜର ରଖନ୍ତୁ |

ସମ୍ବନ୍ଧିତ ଖବର