ମୁଁ ନଇଁବି ନାହିଁ ବୋଲି କହିଲେ ନବନୀତ୍, ଜାମିନ ବିହୀନ ପରୱାନା ଜାରି କରିବୁ କି ବୋଲି ପଚାରିଲେ କୋର୍ଟ

ମୁମ୍ବାଇ: ହନୁମାନ ଚାଳିଶା ପଢ଼ିବା ମାମଲାରେ କିଛି ସର୍ତ୍ତାବଳି ସହ ସାଂସଦ-ବିଧାୟକ ଦମ୍ପତି ନବନୀତ ଓ ରବି ରାଣାଙ୍କୁ ଜାମିନ ମିଳିଥିଲା। ହେଲେ ବାହାରକୁ ଆସିବା ପରେ ସବୁ ସର୍ତ୍ତ ଭୁଲି ଯାଇଛନ୍ତି ରାଣା ଦମ୍ପତି। ଗଣମାଧ୍ୟମକୁ କ‌ୌଣସି କଥା କହିବାରୁ ନିବୃତ୍ତ ରହିବାର ସର୍ତ୍ତ ରଖି ଅଦାଲତ ଦୁହିଁଙ୍କୁ ଜାମିନ ଦେଇଥିବା ବେଳେ ଗତକାଲି ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହାର ଉଲଂଘନ କରିଥିଲେ ନବନୀତ୍ ରାଣା। ଆଜି ମଧ୍ୟ ଦିଲ୍ଲୀ ଯାଇ ନବନୀତ୍ ଗଣମାଧ୍ୟମ ଆଗରେ ନିଜର ମତାମତ ରଖିଥିବା ଦେଖାଯାଇଥିଲା। ତେବେ ଏହାକୁ ବିରୋଧ କରି ମୁମ୍ବାଇ ପୁଲିସ ଦୁହିଁଙ୍କ ଜାମିନ ଖାରଜ କରିବାକୁ ଆଦେବନ କରିଥିଲେ।

ଏହି ଆବେଦନର ଶୁଣାଣି କରି କୋର୍ଟ ରାଣା ଦମ୍ପତିଙ୍କୁ ନୋଟିସ ଜାରି କରି ଜାମିନ ବିହୀନ ପରୱାନା ଜାରି କରିବୁ କି ବୋଲି ପ୍ରଶ୍ନ କରିଛନ୍ତି। ସୂଚନା ମୁତାବକ, ଗତକାଲି ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ନବନୀତ ରାଣା ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏହା ପରେ ରାଣା ଦମ୍ପତିଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବାକୁ ମୁମ୍ବାଇ ପୁଲିସ କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି କୋର୍ଟ ରାଣା ଦମ୍ପତିଙ୍କୁ ତାଗିଦ କରିବା ସହ ଜାମିନ ବିହୀନ ପରୱାନା ଜାରି କରିବା ନେଇ ‌ନୋଟିସ ଜାରି କରି ପଚାରିଛନ୍ତି।

ଅନ୍ୟପକ୍ଷରେ ଆଜି ଦିଲ୍ଲୀରେ ପହଞ୍ଚିଥିବା ନବନୀତ୍ ରାଣା ପୁଣି ଥରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ମୋ ଭଗବାନଙ୍କ ଯୁଦ୍ଧ। ଆଜି ମୁଁ ନିଶ୍ଚିତ ଭାବରେ ଜନସାଧାରଣଙ୍କୁ କହିବାକୁ ଚାହେଁ ଯେ ଯଦି ହନୁମାନ ଚାଳିଶା ପଢ଼ିବା ଦେଶଦ୍ରୋହ, ତେବେ ମୋତେ ଜାମିନ ମିଳିବା ଉଚିତ୍ ନୁହେଁ। ଯଦି ଏହା ଦେଶଦ୍ରୋହ, ତେବେ ମୋର ମରଶରୀର ଜେଲରୁ ଆସିବା ଉଚିତ୍। ମୁଁ ଭାବୁଛି ସେମାନେ (ମହାରାଷ୍ଟ୍ର ସରକାର) ଅନୁଭବ କରିଥିଲେ ଯେ ଜଣେ ମହିଳାଙ୍କୁ ୧୪ ଦିନ ଜେଲରେ ରଖି ତାକୁ ଶାନ୍ତ କରିଦେବେ। ହେଲେ ମୁଁ ଭାରତର ନାଗରିକ। ମୁଁ ନଇଁବି ନାହିଁ।

ସମ୍ବନ୍ଧିତ ଖବର