‘ରିପବ୍ଲିକ୍ ଟିଭି’ର ୧୦୦୦ ସମ୍ପାଦନା କର୍ମଚାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରିଛି ମୁମ୍ବାଇ ପୁଲିସ: ଅର୍ଣ୍ଣବ ଗୋସ୍ବାମୀ

ମୁମ୍ବାଇ: ମୁମ୍ବାଇ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଅ‌ସନ୍ତୋଷ ସୃଷ୍ଟି କରିଥିବା ଅଭିଯୋଗ କରି ଶୁକ୍ରବାର ଦିନ ମୁମ୍ବାଇ ପୁଲିସ ‘ରିପବ୍ଲିକ୍‌ ଟିଭି’ ସମ୍ପାଦନା ମଣ୍ଡଳୀ ବିରୋଧରେ ନୂଆ ମାମଲା ରୁଜୁ କରିଛି।

ମୁମ୍ବାଇ ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ କ୍ରୋଧ ପ୍ରକାଶ କରି ‘ରିପବ୍ଲିକ୍ ଟିଭି’ର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ କହିଛନ୍ତି ଯେ, ଚାନେଲ୍‌ର ପ୍ରାୟ ୧୦୦୦ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। ସେ କହିଛନ୍ତି, ଏବେ ମତେ ମିଳିଥିବା ସୂଚନା ଅନୁସାରେ, ଭାରତ ଇତିହାସରେ ପ୍ରଥମ ଥର ଲାଗି ମୁମ୍ବାଇ ପୁଲିସ ସମ୍ପାଦନା ବିଭାଗର ୧୦୦୦ ଜଣ କର୍ମଚାରୀଙ୍କ ନାମରେ ‘ଏଫ୍‌ଆଇଆର୍‌’ ଦାଏର କରିଛି। ‘ଟିଆର୍‌ପି’ ଦୁର୍ନୀତି ଲୋକଲୋଚନକୁ ଆଣିବାକୁ ଆମେ ‘ହଂସା ରିସର୍ଚ’ ରିପୋର୍ଟ ପ୍ରସାରଣ କରିଥିବାରୁ ‘ରିପବ୍ଲିକ୍ ଟିଭି’ର ସମସ୍ତ ସମ୍ପାଦନା କର୍ମଚାରୀଙ୍କ ବିରୁଦ୍ଧରେ ‘ଏଫ୍‌ଆଇଆର୍‌’ ଦାଏର ହୋଇଛି।

ରିପୋର୍ଟ ଅନୁସାରେ, ପୁଲିସ୍‌ ଆକ୍ଟ୍‌ର ଧାରା ୩ (୧) ଓ ଆଇପିସିର ବିଭିନ୍ନ ଧାରା‌ରେ ଏନ୍‌ଏମ୍‌ ଯୋଶୀ ମାର୍ଗ ପୁଲିସ ଏହି ମାମଲା ରୁଜୁ କରିଛି। ଅଭିଯୋଗକାରୀ ‘ସ୍ପେସାଲ୍‌ ବ୍ରାଞ୍ଚ୍‌ -୧’ର ସବ୍‌-ଇନ୍ସ୍‌ପେକ୍ଟର୍ ଶଶୀକାନ୍ତ ପାୱାର୍‌ ‘ରିପବ୍ଲିକ୍ ଟିଭି’ର ‌ଡେପୁଟି ଏଡିଟର୍‌ ସାଗରିକା ମିତ୍ର, ଆଙ୍କର୍‌ ଶିବାନୀ ଗୁପ୍ତା, ଡେପୁଟି ଏଡିଟର୍‌ ଶାୱନ ସେନ୍, ଏକ୍ଜିକ୍ୟୁଟିଭ୍‌ ଏଡିଟର୍‌ ନିରଞ୍ଜନ ନାରାୟାଣସ୍ବାମୀ ଏବଂ ଅନ୍ୟ ସମ୍ପାଦନା କର୍ମଚାରୀ ଓ ‘ନିଉଜ୍‌ରୁମ୍ ଇନ୍‌ ଚାର୍ଜ’ଙ୍କ ନାମରେ ଅଭିଯୋଗ କରିଛନ୍ତି।

Image Courtesy of OPIndia

ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ପ୍ରସାରଣ କରିଥିବା ‌ରିପୋର୍ଟ ପୁଲିସ ଫୋର୍ସର ସଦସ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ସହ ମୁମ୍ବାଇ ପୁଲିସର ମାନହାନୀ କରିଛି। ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ଅକ୍ଟୋବର ୨୨ ତାରିଖ ସନ୍ଧ୍ୟା ୭ଟା ବେଳେ ‘ରିପବ୍ଲିକ୍ ଟିଭି’ ଦେଖିବା ସମୟରେ ପାୱାର୍‌ ‘ବିଗେଷ୍ଟ୍‌ ଷ୍ଟୋରି ଟୁନାଇଟ୍‌’ ବା ‘ଆଜି ରାତିର ବଡ଼ ଖବର’ ଦେଖିଥିଲେ। ଏଥିରେ ଆଙ୍କର୍‌ ଶିବାନୀ ଗୁପ୍ତା ପଚାରୁଥିଲେ, ‘ପରମବୀଙ୍କ ବିପକ୍ଷରେ ବିଦ୍ରୋହ? ଏହି ତଦନ୍ତରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀମାନେ ବିସ୍ତୃତ ବିବରଣୀ ଦିଅନ୍ତୁ। ଅଭିଯୋଗକ‌ାରୀ କହିଛନ୍ତି ଯେ, ଆଙ୍କର୍‌ ଅଭିଯୋଗ କରିଥିଲେ କି, ପରମବୀର ସିଂହ ପୁଲିସର ସୁନାମ ନଷ୍ଟ କରିବା ସହ ବ୍ୟକ୍ତିଗତ ବିବାଦ ସମାଧାନ ନିମନ୍ତେ ନିଜ କ୍ଷମତା ପ୍ରୟୋଗ କରୁଛନ୍ତି। ତେଣୁ ଅନେକ ପୁଲିସ ଅଧିକାରୀ ତାଙ୍କ ଉପରେ ଅସନ୍ତୁଷ୍ଟ।

ପାୱାର୍‌ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମୁମ୍ବାଇର ଶୀର୍ଷସ୍ତରୀୟ ପୁଲିସ ଅଧିକାରୀଙ୍କ ବିରୋଧରେ ବିଦ୍ରୋହ ହୋଇଥିବା କଥା ତାଙ୍କ ପାଖରେ ଏକ୍ସକ୍ଲୁସିଭ୍‌ ସୂଚନା ଥିବା କଥା ମଧ୍ୟ ଆଙ୍କର୍‌ ଶିବାନୀ ଗୁପ୍ତା କହିଥିଲେ। ଏହା ପୁଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର