ମୁମ୍ବାଇ: ମହାରାଷ୍ଟ୍ର ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଦେବେନ୍ ଭାରତୀଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ପୁଲିସ କମିଶନର ଭାବରେ ନିଯୁକ୍ତ କରିଛନ୍ତି। ସେ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ କରୁ କରୁ ସେ ଏକ ଏଭଳି ଟ୍ବିଟ କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Mumbai Police is a Team. Singhams don’t exist. @MumbaiPolice
— Deven Bharti 🇮🇳 (@DevenBhartiIPS) January 5, 2023
ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ମୁମ୍ବାଇ ପୁଲିସ ଏକ ଦଳ। ସିଙ୍ଘମ ନୁହେଁ।
ସିଙ୍ଘମ ବଲିଉଡର ଏକ ସୁପରହିଟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ, ଯାହାର ନିର୍ଦ୍ଦେଶନା ଦେଇଥିଲେ ରୋହିତ ସେଟ୍ଟୀ। ଏଥିରେ ଅଜୟ ଦେବଗନ୍, କାଜଲ ଅଗ୍ରୱାଲ ଏବଂ ପ୍ରକାଶ ରାଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ହିନ୍ଦୀ ଚଳଚ୍ଚିତ୍ର ୨୦୧୧ରେ ମୁକ୍ତିଲାଭ କରିଥିଲା , ଯାହା ୨୦୧୦ରେ ରିଲିଜ ହୋଇଥିବା ତାମିଲ ଚଳଚ୍ଚିତ୍ର ସିଙ୍ଘମର ହିନ୍ଦୀ ରିମେକ୍ ଥିଲା। ଏହି ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ସବୁ ପୁଲିସକର୍ମୀଙ୍କୁ ସିଙ୍ଘମ କହି ଡାକିବା ଆରମ୍ଭ କରିଥିଲେ। ଏମିତି କି ଗଣମାଧ୍ୟମରେ ଭଲ କାମ କରୁଥିବା ପୁଲିସକର୍ମୀଙ୍କୁ ସିଙ୍ଘମ କହିବା ଆରମ୍ଭ କରାଯାଇଥିଲା।
ହେଲେ ଏବେ ମୁମ୍ବାଇର ସ୍ୱତନ୍ତ୍ର ପୁଲିସ କମିଶନର ଭାବରେ ନିଯୁକ୍ତ ଦେବେନ୍ ଭାରତୀ ଟ୍ବିଟ କରି ସ୍ପଷ୍ଟ କରିଛନ୍ତି ଯେ, ଏଠି କେହି ସିଙ୍ଘମ ନାହାନ୍ତି। ମୁମ୍ବାଇ ପୁଲିସ ହେଉଛି ଏକ ଦଳ। ସେମାନଙ୍କ କାମ ପାଇଁ ଲୋକେ ସେମାନଙ୍କୁ ପସନ୍ଦ କରୁଛନ୍ତି।