ମୁମ୍ବାଇ ପୁଲିସର ‘ଘର ସେ ନିକଲତେ ହି…’ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ: ଦେଶ ଅଗ୍ରଗତି କରିବା ସହ ଯାନବାହାନର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ବିଭିନ୍ନ ସମୟରେ ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଅଭିଯାନ କରିବା ସତ୍ତ୍ୱେ ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନେଇ ସଚେତନତାର ଅଭାବ ଦେଖାଦେଉଛି । ତେବେ ସମସ୍ତ ରାଜ୍ୟ ଅପେକ୍ଷା ସବୁଠାରୁ ଭିନ୍ନ ଅନ୍ଦାଜରେ ସଡ଼କ ସୁରକ୍ଷାର ବାର୍ତ୍ତା ଦେଇଥାଏ ମୁମ୍ବାଇ ପୁଲିସ । ଏପରିକି ବର୍ତ୍ତମାନର ଯୁବପିଢ଼ି ଅଧିକ ମାତ୍ରାରେ ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବାରୁ ତାଙ୍କୁ ସଡ଼କ ସୁରକ୍ଷା ନିମନ୍ତେ ସଚେତନ କରିବା ପାଇଁ ମୁମ୍ବାଇ ପୁଲିସ ଟ୍ଵିଟ ମାଧ୍ୟମରେ ବିଭିନ୍ନ ପ୍ରକାରର ମଜାଳିଆ ପୋଷ୍ଟ କରିଥାଏ । ଏହା ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କର ମନୋରଞ୍ଜନ କରିଥାଏ । ନିକଟରେ ସେହିଭଳି ଏକ ଫଟୋ ପୋଷ୍ଟ କରିଥିଲା ମୁମ୍ବାଇ ପୁଲିସ । ଏଥିରେ ହିନ୍ଦୀ ସିନେମାର ବହୁଚର୍ଚ୍ଚତ ଗୀତ “ଘର ସେ ନିକଲତେ ହି… କୁଛ ଦୂର ଚଲତେ ହି…” ପଦକୁ ଲେଖି ଲୋକମାନଙ୍କ ସଚେତନ କରାଇବାକୁ ଚେଷ୍ଟା କରିଥିଲା ମୁମ୍ବାଇ ପୁଲିସ । ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଲୋକଙ୍କୁ ବହୁତ ଆକୃଷ୍ଟ କରିଥିଲା ।

ଏହି ଫଟୋରେ ଜଣେ ଯୁବକ ଘରୁ ବିନା ହେଲମେଟରେ ବାଇକ୍‌ ଚଲାଇ ଘରୁ ବାହାରିଥିବା ବେଳେ କିଛି ବାଟ ଗଲା ପରେ ତାକୁ ପୁଲିସ ଧରି ଦେଉଛନ୍ତି । ଏଥିରେ ପୁଲିସ ଜନତାଙ୍କୁ ବିନା ହେଲମେଟରେ ଯାତ୍ରା ନ କରିବା ସୂଚନା ଦେବା ସହ ସଡ଼କ ସୁରକ୍ଷା ନିୟମକୁ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଅନେକ ଲୋକ ଏହି ପୋଷ୍ଟକୁ ପଢ଼ିବା ସହ ଭରପୂର ମାତ୍ରାରେ ଏହାକୁ ସେୟାର କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର