ଟ୍ରାଫିକ୍‌ ନିୟମ ବୁଝାଇବାକୁ ମୁମ୍ବାଇ ପୁଲିସ୍‌ ବ୍ୟବହାର କଲା ‘ଧଡକ’ ଚଳଚ୍ଚିତ୍ରର ଦୃଶ୍ୟ ଓ ସଂଳାପ

ମୁମ୍ବାଇ: ଟ୍ରାଫିକ୍‌ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ମୁମ୍ବାଇ ପୁଲିସ୍‌ ଏକ ଅଭିନବ ପ୍ରୟାସ କରି ଏବେ ଚର୍ଚ୍ଚାରେ ରହିଛି। ଟୁଇଟର୍‌ରେ ଏକ ଟ୍ରାଫିକ୍‌ ମାର୍ଗଦର୍ଶିକା ଜାରି କରିବା ପାଇଁ ମୁମ୍ବାଇ ପୁଲିସ୍‌ ଜାହ୍ନବୀ କପୁର୍‌ ଅଭିନୀତ ‘ଧଡ଼କ’ ଚଳଚ୍ଚିତ୍ରର ଏକ ସଂଳାପ ବ୍ୟବହାର କରିଥିବା ଟୁଇଟର୍‌ରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ଏକ ଦୃଶ୍ୟକୁ କ୍ୟାପ୍‌ଚର କରାଯାଇ ମୁମ୍ବାଇ ପୁଲିସ୍‌ର ଟୁଇଟର୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‍ ହୋଇଛି। ସେଥିରେ ଲେଖାଯାଇଛି ‘ଟ୍ରାଫିକ୍‌ ସଂକେତର ଭାବପ୍ରବଣ ବାର୍ତ୍ତାକୁ ଅସମ୍ମାନ କରନାହିଁ। ଏମିତିରେ ବି ଇ-ଚାଲାଣ ବ୍ୟବସ୍ଥା ଆପଣଙ୍କ ସଂପର୍କକୁ ନେଇ ଖୁସି ନୁହେଁ। #ଟ୍ରାଫିକ୍‌ସିଗ୍‌ନାଲ୍‌ମ୍ୟାଟର୍‌ସ।

ଉଲ୍ଳେଖଯୋଗ୍ୟ, ଏପରି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ଲୋକମାନଙ୍କ ଆକର୍ଷଣ ହାସଲ କରିବା ପାଇଁ ନିକଠରେ ବଡ଼ଦରା ସହର ପୁଲିସ୍‌ ମଧ୍ୟ ଏପରି ଏକ ଟ୍ରାଫିକ୍‌ ମାର୍ଗଦର୍ଶିକା ପୋଷ୍ଟର ଜାରି କରିଥିଲା। ପୁଲିସ୍‌ ଜାରି କରିଥିବା ଉକ୍ତ ପୋଷ୍ଟର୍‌ଟି ଟୁଇଟର୍‌ରେ ଅପ୍‌ଲୋଡ୍‌ ହେବା ପରେ କୁଢ଼ କୁଢ଼ ପ୍ରତିକ୍ରିୟା ଦେଖିବାକୁ ମଧ୍ୟ ମିଳିଥିଲା। ତେବେ , ଟ୍ରାଫିକ୍‌ ନିୟମ ସଂପର୍କିତ ସେହି ପୋଷ୍ଟର୍‌ଟିରେ ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର୍‌ଙ୍କୁ ବ୍ୟବହାର କରାଯାଇଥିଲା। ପୋଷ୍ଟରଟିରେ ପ୍ରିୟାଙ୍କ ଫଟୋ ରଖାଯାଇ ଲେଖିଯାଇଥିଲା କି, ‘ଗୋଟାଏ ଥର ଆଖି ପତା ପଡ଼ିବା ଭିତରେ ହୋଇପାରେ ଦୁର୍ଘଟଣା। ଅନ୍ୟମନସ୍କ ନ ହୋଇ ଯତ୍ନବାନ ହୋଇ ଗାଡ଼ି ଚଳାଅ।’ ଏ ସଂପର୍କରେ ପଚରା ଯିବାରୁ ଭଦୋଦରା ପୁଲିସ୍‌ ଅଫିସର୍‌ କହିଥିଲେ କି ‘ନାଗରିକମାନଙ୍କ ସଂଯୋଗରେ ରହିବାର ଏହା ଏକ ଉତ୍ତମ ମାଧ୍ୟମ। କିଛି ଗୋଟାଏ ବୁଝାଇବା ପାଇଁ ସେହି ସମୟର ଭାଷା ଏବଂ ସଂକେତ ବ୍ୟବହାର କଲେ ବେଶି ଫଳପ୍ରଦ ହୋଇଥାଏ।’

ବଡ଼ଦରା ପୁଲିସ୍‌ ପରେ ମୁମ୍ବାଇ ପୁଲିସ୍‌ ମଧ୍ୟ ଏବେ ସେହି ସମାନ ପଥ ଅବଲମ୍ବନ କରିଛି। ଯୁବପିଢ଼ିମାଡ଼ଙ୍କୁ ବୁଝାଇବା ପାଇଁ ଚଳଚ୍ଚିତ୍ରର ସଂଳାପ ସହ ଏକ ଦୃଶ୍ୟକୁ ବ୍ୟବହାର କରି ଯୁବପିଢ଼ିଙ୍କ ଆକର୍ଷଣ ହାତେଇବାର ଉଦ୍ୟମ କରିଥିବା ପୋଷ୍ଟ୍‍ଟିରୁ ସ୍ପଷ୍ଟ ଜାଣି ହେଉଛି।

ସମ୍ବନ୍ଧିତ ଖବର