୨୦ ବର୍ଷ ପରେ ମା’କୁ ଫେରି ପାଇଲେ ମୁମ୍ବାଇ ମହିଳା

ମୁମ୍ବାଇ : ମୁମ୍ବାଇର କୁର୍ଲାରୁ ୨୦ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ମହିଳା ହମିଦା ବାନୋଙ୍କୁ ପାକିସ୍ତାନର କରାଚି ସ୍ଥିତ ମ‌ଙ୍ଘୋପିର ଅଞ୍ଚଳରେ ଠାବ କରାଯାଇଛି। ତାଙ୍କ ଝିଅ ଜସ୍ମିନ ଶେଖ ଏକ ୟୁଟ୍ୟୁବ୍‌ ଭିଡିଓ ଦେଖିବାପରେ ତାଙ୍କୁ ଚିହ୍ନିଛନ୍ତି। ପାକିସ୍ତାନରେ ଜଣେ ‘ଉଦ୍ଧାରକାରୀ’ ବ୍ୟକ୍ତି ୱାଲିଉଲ୍ଲା ମସୁଦ ପ୍ରାୟ ୪୦ ନିଖୋଜ ବ୍ୟକ୍ତିଙ୍କୁ ପରିବାର ସହ ମିଶାଇଛନ୍ତି। ମସୁଦ ହମିଦାଙ୍କ ସଂସ୍ପର୍ଶରେ ଆସିବାପରେ ତାଙ୍କର ଏକ ୟୁଟ୍ୟୁବ ଭିଡିଓ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ଭାଇରାଲ୍‌ ହେବାପରେ ହମିଦାଙ୍କୁ ତାଙ୍କ ଝିଅ ଚିହ୍ନିଛନ୍ତି।

ନିଜର ଦୁଃଖ ବଖାଣିବାକୁ ଯାଇ ହମିଦା କହିଛନ୍ତି, ତାଙ୍କୁ ଚାକିରି ଲୋଭ ଦେଖାଇ ଦୁବ‌ାଇ ନିଆଯାଇଥିଲା। କିନ୍ତୁ ଦୁବାଇ ବଦଳରେ ତାଙ୍କୁ ପାକିସ୍ତାନ ନିଆଯାଇଥିଲା। ମୁମ୍ବାଇରେ ତାଙ୍କର ୨ ପୁଅ ଏବଂ ୨ ଝିଅ ଥିବାବେଳେ କରାଚିରେ ସେ ପୁନଃ ବିବାହ କରିଛନ୍ତି ଏବଂ ସାବତପୁଅ ଏଜାଜଙ୍କ ସହ ସେ ରହୁଛନ୍ତି। ଝିଅ ଯଶ୍ମୀନ କହିଛନ୍ତି, ତାଙ୍କ ମା’ ଦୁବାଇକୁ ଜଣେ ରୋଷେୟା ଭାବେ ଯାଇଥିଲେ। କିନ୍ତୁ ସେ ଆଉ ଫେରିଲେନି। ଏବେ ତାଙ୍କୁ ଚିହ୍ନଟ କରାଯିବାପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ଭାରତ ଫେରାଇ ଆଣିବାପାଇଁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର