ହେଲମେଟ ପିନ୍ଧିନଥିବାରୁ ଅଟକାଇଲେ ଟ୍ରାଫିକ ପୁଲିସ, ଅଶାଳୀନ ବ୍ୟବହାର କରୁଥିବା କହି ମାଡ଼ ମାରିଲେ ମହିଳା

ଗିରଫ କଲା ପୁଲିସ

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ଦେଶରେ ବ୍ୟାପିଥିଲେ ମଧ୍ୟ ଆଗଧାଡ଼ିରେ ରହି ୭ ମାସ ହେଲାଣି ନିଜର କର୍ତ୍ତବ୍ୟ ପାଳନ କରିଆସୁଛନ୍ତି ଟ୍ରାଫିକ ପୁଲିସକର୍ମୀ | ଏ ନେଇ ସରକାର ସେମାନଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦେଇ ସମ୍ମାନିତ କରୁଥିବା ବେଳେ ଦେଶରେ ଅନେକ କୋଣରେ କରୋନା ଯୋଦ୍ଧାଙ୍କ ସହ ଖରାପ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି | ପୂର୍ବରୁ ଅନେକ ଡାକ୍ତର ଲୋକଙ୍କ ଖରାପ ବ୍ୟବହାରର ସାମ୍ନା କରିଥିବା ବେଳେ ଏବେ ଜଣେ ଟ୍ରାଫିକ ପୁଲିସଙ୍କୁ ମାଡ଼ ମରାଯାଇଛି |

ହେଲମେଟ ପିନ୍ଧିନଥିବାରୁ ମହିଳାଙ୍କୁ ଅଟକାଇଥିଲେ ଟ୍ରାଫିକ ପୁଲିସ | ହେଲେ ନିଜ ଭୁଲ ବୁଝିବା ପରିବର୍ତ୍ତେ ଟ୍ରାଫିକ ପୁଲିସଙ୍କୁ ମାଡ଼ ମାରିଥିଲେ ମହିଳା | ଅସଦାଚରଣ କରୁଥିବା କହି ମହିଳାଜଣଙ୍କ ଏଭଳି କରିଥିବା ଜଣାପଡ଼ିଛି | ଘଟଣାଟି ଘଟିଛି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ | ତେବେ ପରେ ଏହି ମାମଲାରେ ଅଭିଯୁକ୍ତ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ନାଁ ସାଗରିକା ତିୱାରୀ ବୋଲି ଜଣାପଡ଼ିଛି |

oneindia

ସୂଚନାନୁସାରେ, ହେଲମେଟ ପିନ୍ଧିନଥିବାରୁ କଲବାଦେବୀ ମାର୍ଗରେ ସାଗରିକାଙ୍କୁ ଏବଂ ଗାଡି ଚଳାଉଥିବା ମୋସିନ ଶେଖଙ୍କୁ ଟ୍ରାଫିକ ପୁଲିସ ଏକନାଥ ପରତେ ଅଟକାଇଥିଲା। ଜରିମାନା ଦେବା ପରିବର୍ତ୍ତେ ଝଗଡା କରିବା ଆରମ୍ଭ କରିଥିଲେ ସାଗରିକା | ଏ ନେଇ ଦୁଇଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା ପରେ ଅସଦାଚରଣ କରୁଥିବା କହି ଏକନାଥ ପରତେଙ୍କ ୟୁନିଫର୍ମକୁ ଟାଣି ଧରି ତାଙ୍କୁ ଚାପୁଡା ଉପରେ ଚାପୁଡ଼ା ମାରିଥିଲେ ସାଗରିକା, ଯାହାର ଭିଡିଓ ବନାଇଥିଲେ ମୋସିନ | କିଛି ସମୟ ପରେ ସେଠାରେ ଉପସ୍ଥିତ ଅନ୍ୟଜଣେ ପୁଲିସକର୍ମୀ ସାଗରିକାଙ୍କୁ ଅଟକାଇବା ସହ ସାଗରିକା ଏବଂ ମୋସିନଙ୍କୁ ପୁଲିସ ଷ୍ଟେସନ ନେଇଥିଲେ | ଏବେ ଦୁହିଁଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର