ଏସିଆର ସବୁଠାରୁ ସର୍ବବୃହତ ବସ୍ତି ଧରାଭି ଏବେ କରୋନା ମୁକ୍ତ 

ମୁମ୍ବାଇ: ଏସିଆର ସବୁଠାରୁ ବଡ ବସ୍ତି ଏବେ କରୋନା ମୁକ୍ତ ହୋଇଯାଇଛି । ମୁମ୍ବାଇରେ ଥିବା ଧରାଭି ବସ୍ତିବାସିନ୍ଦା କରୋନାକୁ ମାତ୍ ଦେବାରେ ସମର୍ଥ ହୋଇଛନ୍ତି । ପ୍ରଶାସନର ଯୋଜନାବଦ୍ଧ ପ୍ରୟାସ ଓ ବସ୍ତିବାସିନ୍ଦାଙ୍କ ସହଯୋଗରୁ ଏହା ସମ୍ଭବ ହୋଇପାରିଛି । ତେବେ ଦିନେ କରୋନାର ହଟସ୍ପଟ ଭାବେ ପରିଚିତ ଧରାଭିରେ ଗତ ୩ ଦିନରେ ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗତ ୨୪ ଘଂଟା ଭିତରେ ଏଠାରେ କେହି ନୂଆ ସଂକ୍ରମିତ ହୋଇନଥିବା ଜଣାପଡିଛି । ଧରାଭିରେ ମୋଟ୍ ସଂକ୍ରମଣ ମାମଲା ୬ ହଜାର ୮୨୯ ଥିବାବେଳେ ସେମାନଙ୍କ ଭିତରୁ ୬ ହଜାର ୪୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଚଳିତବର୍ଷ ଏପ୍ରିଲ ଆରମ୍ଭରୁ କରୋନାର ହଟସ୍ପଟ ପାଲଟି ଯାଇଥିବା ମୁମ୍ବାଇର ଧରାଭି ବସ୍ତି ।

ଏପ୍ରିଲ ୯ ତାରିଖରେ ଏଠାରୁ ୯୯ଟି ମାମଲା ଆସିଥିଲା । ସାଢେ ୬ ଲକ୍ଷରୁ ଅଧିକ ଲୋକ ରହୁଥିବା ଏହି ବସ୍ତିରେ କରୋନା ନିୟନ୍ତ୍ରଣ କରିବା ମୁମ୍ବାଇ ମହାନଗରପାଳିକା ପାଇଁ ଏକ ବଡ ଆହ୍ୱାନ ହୋଇଥିଲା । ମହାରାଷ୍ଟ୍ରର ପ୍ରାୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ଆସିଥିବାବେଳେ ଧରାଭି ବସ୍ତିରେ କରୋନା ମାମଲା ଶୂନରେ ପହଂଚିବା ରାଜ୍ୟ ସରକାରଙ୍କ ପାଇଁ ବଡ ଆଶ୍ୱସ୍ତି ଆଣିଦେଇଛି ।

ସମ୍ବନ୍ଧିତ ଖବର