୨୬ଜଣ ନର୍ସ ଏବଂ ୩ଜଣ ଡାକ୍ତର କରୋନା ଆକ୍ରାନ୍ତ ହେବା ପରେ ସିଲ ହେଲା ମୁମ୍ବାଇର ୱୋକାର୍ଡ ହସ୍ପିଟାଲ

ମୁମ୍ବାଇ: ୨୬ଜଣ ନର୍ସ ଏବଂ ତିନିଜଣ ଡାକ୍ତର କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହେବା ପରେ ସୋମବାର ମୁମ୍ବାଇର ଆଗ୍ରିପଡାସ୍ଥିତ ୱୋକାର୍ଡ ହସ୍ପିଟାଲକୁ ସିଲ୍ କରାଯାଇଛି। ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ରବିବାର ଦିନ ଡାକ୍ତରଖାନାକୁ ଏକ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରିଛି।

ବିଏମସିର ଅତିରିକ୍ତ ମ୍ୟୁନିସିପାଲିଟି କମିଶନର (ସ୍ୱାସ୍ଥ୍ୟ) ସୁରେଶ କାକାନି କହିଛନ୍ତି ଯେ, ସେମାନେ ଡାକ୍ତରଖାନାକୁ ସିଲ୍ କରିଛନ୍ତି ଏବଂ ସ୍ୱାବ ରିପୋର୍ଟ ନେଗେଟିଭ ନଆସିବା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ନାହିଁ। ଡାକ୍ତରଖାନା ପ୍ରଶାସନ ସତର୍କତା ଅବଲମ୍ବନ କରୁନଥିବାରୁ ଆଜି ଡାକ୍ତରଖାନାର ପ୍ରାୟ ୩୦୦କର୍ମଚାରୀଙ୍କୁ ସଙ୍ଗରୋଧରେ ରଖାଯାଇଛି । ଡାକ୍ତରଖାନା ପରିସରରେ ଏତେ ସଂଖ୍ୟକ ଲୋକଙ୍କ ମଧ୍ୟରେ ଏହି ଭୂତାଣୁ କିପରି ବ୍ୟାପିଛି ତାହାର ଅନୁସନ୍ଧାନ ପାଇଁ ଆମେ ଏକ ଦଳ ଗଠନ କରିଛୁ ବୋଲି ସେ କହିଛନ୍ତି।

ପୂର୍ବରୁ ଜଣେ କୋଭିଡ -୧୯ର ଶିକାର ହୋଇଥିବା ନର୍ସ ଅଭିଯୋଗ କରିଥିଲେ ଯେ, ଡାକ୍ତରଖାନାର ଅବହେଳା ହେତୁ ଏହି ସଂକ୍ରମଣ ଅନ୍ୟ କର୍ମଚାରୀଙ୍କୁ ବ୍ୟାପିଗଲା। ମାର୍ଚ୍ଚ ୨୦ରେ ଦୁଇଜଣ ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କୁ କସ୍ତୁରବା ଗାନ୍ଧୀ ଡାକ୍ତରଖାନାରୁ ୱୋକାର୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ନିଶ୍ଚିତ ହୋଇଥିବା ମାମଲାଗୁଡିକ ପୃଥକ ପୃଥକ ୱାର୍ଡରେ ରଖାଯାଇଥିବା ବେଳେ ସନ୍ଦିଗ୍ଧମାନଙ୍କୁ ସାଧାରଣ ଆଇସିୟୁ ୱାର୍ଡରେ ରଖାଯାଇଥିଲା, ଯେଉଁଠାରେ ଅଣ-କୋଭିଡ -୧୯ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରାଯାଉଥିଲା।

Coronavirus: Kerala Couple, Aged 93 And 88, Recover From COVID-19
NDTV.com

ମାର୍ଚ୍ଚ ୨୮ରେ, ସେହି ସାଧାରଣ ଆଇସିୟୁ ୱାର୍ଡରେ କାର୍ଯ୍ୟ କରୁଥିବା ଦୁଇଜଣ ନର୍ସ କୋଭିଡ୍ -୧୯ ଦ୍ୱାରା ଶିକାର ହୋଇଥିଲେ | କିନ୍ତୁ ଖୁବ୍ ଶୀଘ୍ର ୧୦ଜଣ ନର୍ସ କୋଭିଡ୍ -୧୯ ଦ୍ୱାରା ସଂକ୍ରମିତ ହେବା ସହ ଏବେ ୨୬ଜଣ ନର୍ସ ଏବଂ ତିନି ଜଣ ଡାକ୍ତର କୋଭିଡ୍ -୧୯ର ଶିକାର ହୋଇଛନ୍ତି | ଡାକ୍ତରଖାନାର ଜଣେ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଥିବା ସନ୍ଦିଗ୍ଧ କରୋନାଭାଇରସ୍ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ଆମେ ଏହି ସଂକ୍ରମଣରେ ସଂକ୍ରମିତ ହୋଇଛୁ ବୋଲି ଡାକ୍ତରଖାନାର ଜଣେ ନର୍ସ କହିଛନ୍ତି। ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଦାବି କରିଛନ୍ତି ଯେ, ସଂକ୍ରମିତ ନର୍ସମାନେ ସଂକ୍ରମିତ ହୋଇନଥିବା କର୍ମଚାରୀଙ୍କ ସହ ସମାନ କ୍ୟାଣ୍ଟିନ, ହଷ୍ଟେଲ ଏବଂ ବାଥରୁମକୁ ବ୍ୟବହାର କରିଥିଲେ, ଯାହାଦ୍ୱାରା ସଂକ୍ରମଣ ବ୍ୟାପିଥିଲା |

କର୍ମଚାରୀମାନେ ଅଭିଯୋଗ କରିଛନ୍ତି, ଡାକ୍ତରଖାନା ପ୍ରଶାସନ ନର୍ସମାନଙ୍କୁ ସଙ୍ଗରୋଧରେ ନରଖି ସେମାନଙ୍କୁ କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା, ଯାହା ଫଳରେ ଅନ୍ୟ କର୍ମଚାରୀମାନେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ | ବର୍ତ୍ତମାନ କରୋନା ଆକ୍ରାନ୍ତ ନର୍ସମାନଙ୍କୁ ଭିଲ୍ ପାର୍ଲେସ୍ଥିତ କ୍ୱାର୍ଟର୍ସରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ସଂକ୍ରମିତ ଦୁଇଜଣ ଡାକ୍ତରଙ୍କୁ ସେଭେନ ହିଲ୍ସରେ ଏବଂ ତୃତୀୟ ଜଣଙ୍କୁ ମହୀମ ଏସଏଲ ରାହେଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨୭୦ରୁ ଅଧିକ ଡାକ୍ତରଖାନା କର୍ମଚାରୀ ଏବଂ କିଛି ରୋଗୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନର୍ସିଂ ଆସୋସିଏସନ ବିଏମସି କମିଶନରଙ୍କ ନିକଟରେ ଅଭିଯୋଗ କରିଛି ବୋଲି ଜଣା ପଡିଛି ।

ସମ୍ବନ୍ଧିତ ଖବର