ବିଜେପି ହାତରେ ପୁଣି ଗୁଜରାଟର ୬ଟି ଯାକ ପୌର ନିଗମ

କଂଗ୍ରେସକୁ ଝଟକା, ଆପ୍‌ ଖାତା ଖୋଲିଲା

ଅହମଦାବାଦ(ଗୁଜରାଟ): ଗତ ୨୧ ତାରିଖରେ ନିର୍ବାଚନ ହୋଇଥିବା ଗୁଜରାଟର ୬ଟି ଯାକ ପୌରନିଗମକୁ ବିଜେପି ପୁଣି ଥରେ ଅକ୍ତିଆର କରିନେଇଛି। ଅପରପକ୍ଷେ, ଆଜି ଘୋଷିତ ହୋଇଥିବା ଫଳାଫଳରୁ ନୂଆକରି ଲଢୁଥିବା ଅରବିନ୍ଦ କେଜ୍ରିଵାଲଙ୍କ ଆମ୍‌ ଆଦିମ୍‌ ପାର୍ଟି(ଆପ୍‌) ନିର୍ବାଚନରେ ଉଲ୍ଲେଖନୀୟ ଛାପ ଛାଡ଼ିଛି। ତେବେ ପୂର୍ବ ଥର ପରି କଂଗ୍ରେସ ଏଥର ମଧ୍ୟ ଶୋଚନୀୟ ପରାଜୟ ବରଣ କରିଛି।

ସନ୍ଧ୍ୟା ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ, ସବୁଠୁ ବଡ଼ ଅହମଦାବାଦ ପୌର ନିଗମର ଘୋଷିତ ହୋଇଥିବା ୧୪୫ ଆସନ(ମୋଟ ୧୯୨ ଆସନ)ରୁ ବିଜେପି ୧୨୬ଟି ଦଖଲ କରିନେଇଥିବା ବେଳେ ଚୂଡ଼ାନ୍ତ ଫଳାଫଳ ବେଳକୁ ୧୬୦ ଛୁଇଁବାର ସମ୍ଭାବନା ରହିଛି। ସେହିପରି ରାଜକୋଟର ୭୨ ଆସନରୁ ୬୮, ଜାମନଗରର ୬୪ ଆସନରୁ ୫୦ଟି, ଭାବନଗରର ୫୨ ଆସନରୁ ୪୪ଟି, ଭଦୋଦରାର ୭୬ ଆସନରୁ ୬୯ଟି ଏବଂ ସୁରାଟର ୧୨୦ ଆସନରୁ ୯୩ଟି ବିଜେପି ହାତରେ ପଡ଼ିଛି। ସେହିପରି ମୋଟ ୫୭୫ ଆସନରୁ ୪୪ଟି ପାଇଥିବା କଂଗ୍ରେସ ସୁରାଟରେ ଖାତା ଖୋଲିନଥିବା ବେଳେ ସେଠାରେ ଆପ୍‌ ୨୭ ଆସନ ଜିତି ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର