ଇସଲାମାବାଦ: ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଚୀନ୍ର ସାମରିକ ଅଭ୍ୟାସର ଏକ ପୁରୁଣା ଫଟୋ ପ୍ରଦାନ କରିଛନ୍ତି। ଏହି ଫଟୋ ଭାରତ ବିରୋଧରେ ପାକିସ୍ତାନର ଦମ୍ଦାର ଆକ୍ରମଣ ଏବଂ ବିଜୟ ବୋଲି ମୁନିର ମିଥ୍ୟା ଦାବି କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ପାକିସ୍ତାନ ଉପହାସର ପାତ୍ର ହୋଇଛି।
ଏହି ଫଟୋ ବାସ୍ତବରେ ଏକ ପୁରୁଣା ଫଟୋ ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ଏକାଧିକ ଥର ବ୍ୟବହୃତ ହୋଇଛି। ଏହା ପ୍ରଥମେ ୨୦୧୯ରେ ସେୟାର ହୋଇଥିଲା ଏବଂ ଫଟୋଗ୍ରାଫର ହୁଆଙ୍ଗ ହୈ ଏହି ଫଟୋ ଉଠାଇଥିଲେ। ପାକିସ୍ତାନ ଫିଲ୍ଡ ମାର୍ସାଲ ଅସୀମ ମୁନିରଙ୍କ ଦ୍ୱାରା ଆୟୋଜିତ ଏକ ହାଇପ୍ରୋଫାଇଲ୍ ରାତ୍ରି ଭୋଜନରେ ଏହି ଫଟୋ ଉପସ୍ଥାପନ କରାଯାଇଛି। ରାଜନୈତିକ ନେତୃତ୍ୱ, ସଶସ୍ତ୍ର ବାହିନୀର ଦୃଢ଼ ପ୍ରତିବଦ୍ଧତା ଏବଂ ଅପରେସନ ବୁନ୍ୟାନ-ଅଲ୍-ମାର୍ସୁସ ସମୟରେ ଦେଖାଯାଇଥିବା ପାକିସ୍ତାନବାସୀଙ୍କ ଅଦମ୍ୟ ମନୋବଳକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସୋସିଆଲ ମିଡିଆରେ ଉପହାସର ବିଷୟ ପାଲଟିଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତୁରନ୍ତ ଦର୍ଶାଇଛନ୍ତି ଯେ ଏହି ଫଟୋଟି ପାକିସ୍ତାନର ଅପରେସନ ବୁନ୍ୟାନ-ଅଲ-ମାର୍ସୁସର ନୁହେଁ ବରଂ ୨୦୧୯ରେ ଚୀନ୍ର ଏକ ଅଭ୍ୟାସର।
ଶେହବାଜ ପାକ୍ ସେନା ମୁଖ୍ୟଙ୍କୁ ‘ଅପରେସନ ବୁନ୍ୟାନ୍’ ମେମେଣ୍ଟୋ ଭାବେ ଚାଇନିଜ୍ ଡ୍ରିଲ୍ ଫଟୋ ଉପହାର ଦେଇଥିଲେ। ମୁଁ ଭାବୁଛି ସେମାନେ ଗୁଗଲ୍ ଇମେଜ୍ ସର୍ଚ୍ଚ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ‘ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଅସୀମ ମୁନିର ୨୦୧୯ରେ ଚୀନ୍ର ସାମରିକ ଅଭ୍ୟାସର ଏକ ଫଟୋ ଉପହାର ଦେଇଛନ୍ତି। ବରଂ ଭାରତ ଅପରେସନ୍ ସିନ୍ଦୂର ସମୟରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ଓ ଶକ୍ତିଶାଳୀ ଆକ୍ରମଣର ପ୍ରମାଣ ପ୍ରଦାନ କରିଥିଲା। ଅସ୍ୱୀକାର, ପ୍ରତାରଣା ଓ ଭ୍ରମ ପାକିସ୍ତାନର ରାଷ୍ଟ୍ରୀୟ ନୀତି ହୋଇ ଯାଇଛି ବୋଲି ସେ ଲେଖିଛନ୍ତି।