ଇସ୍‌ଲାମାବାଦ: ପାକିସ୍ତାନ ସରକାର ମଙ୍ଗଳବାର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଦେଶର ସର୍ବୋ‌ଚ୍ଚ ସାମରିକ ପଦବିକୁ ପଦୋନ୍ନତି କରିଛନ୍ତି। ମୁନିର ଫିଲ୍ଡ ମାର୍ସାଲ ଭାବେ ନିଯୁକ୍ତି ପାଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବି‌ନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁ‌ହାଯାଇଛି ଯେ ପ୍ରଧାନମନ୍ତ୍ରୀ ଶେହବାଜ ରାଷ୍ଟ୍ରପତି ଅସିଫ୍‌ ଅଲି ଜର୍ଦ୍ଦାରୀଙ୍କୁ ଭେଟିଛନ୍ତି ଏବଂ ଏହି ନିଷ୍ପତ୍ତି ସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କୁ ଅବଗତ କରିଛନ୍ତି।

Advertisment

ଫିଲ୍ଡ ମାର୍ସାଲ୍‌ ହେଉଛି ପାକିସ୍ତାନ ସେନାରେ ସବୁଠାରୁ ବଡ଼ ପଦ। ସେନାର ସମସ୍ତ କମାଣ୍ଡ୍‌, ନିୟନ୍ତ୍ରଣ ଏବଂ ପ୍ରଶାସନ ଦାୟିତ୍ବ ଫିଲ୍ଡ ମାର୍ସାଲ୍‌ଙ୍କ ହାତ‌ରେ ନ୍ୟସ୍ତ କରାଯାଇଛି।  ଫିଲ୍ଡ ମାର୍ସାଲ ମଧ୍ୟ ଜାତୀୟ ସୁରକ୍ଷା ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କର ପ୍ରମୁଖ ସାମରିକ ଉପଦେଷ୍ଟା। ମୁନିରଙ୍କ ପୂର୍ବରୁ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ଜେନେରାଲ ଆୟୁବ ଖାନ୍‌ ମଧ୍ୟ ୧୯୫୯ରେ ଫିଲ୍ଡ ମାର୍ସାଲ ଭାବେ ପଦୋନ୍ନତି ପାଇଥି‌ଲେ।