ୱାସିଂଟନ: ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର ଭାରତକୁ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଦେଇଛନ୍ତି। ମୁନିର ଚେତାବନୀ ଦେଇ କହିଛନ୍ତି, ଯଦି ପାକିସ୍ତାନ କୌଣସି ବଡ଼ ବିପଦର ସମ୍ମୁଖୀନ ହୁଏ, ତେବେ ତାଙ୍କ ଦେଶ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ। ଫ୍ଲୋରିଡାରେ ଏକ କାର୍ଯ୍ୟକ୍ରମରେ ମୁନିର କହିଛନ୍ତି, ଆମେ ଏକ ପରମାଣୁ ରାଷ୍ଟ୍ର। ଯଦି ଆମେ ଅନୁଭବ କରିବୁ ଯେ ଆମେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛୁ, ତା’ହେଲେ ତେବେ ଆମେ ଅଧା ଦୁନିଆକୁ ଆମ ସହିତ ଧ୍ବଂସ କରିଦେବୁ। ମୁନିର ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍)ର ବିଦାୟୀ କମାଣ୍ଡର ଜେନେରାଲ ମାଇକେଲ କୁରିଲାଙ୍କ ଅବସର ସମାରୋହରେ ଯୋଗ ଦେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି। ଆମେରିକା ମାଟିରୁ କୌଣସି ତୃତୀୟ ଦେଶ ବିରୋଧରେ ତାଙ୍କର ପରମାଣୁ ଧମକ ମନ୍ତବ୍ୟ ପ୍ରଥମ ବୋଲି କୁହାଯାଉଛି।

Advertisment

ମୁନିରଙ୍କ ପରମାଣୁ ଧମକ  ରିପୋର୍ଟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଆମେରିକା ସମ୍ପର୍କ ତିକ୍ତ ହୋଇଉଠିଛି। ପାକିସ୍ତାନ ସହ ଭାରତର ସାମରିକ ଉତ୍ତେଜନା ପରେ 
ଅସୀମ ମୁନିରଙ୍କୁ ଦ୍ବିତୀୟଥର ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟାହ୍ନ ଭୋଜନ ଲାଗି ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରିଛନ୍ତି। ଏହା ପୂର୍ବରୁ ଅପରେସନ୍ ସିନ୍ଦୂର ପରେ ମୁନିରଙ୍କୁ ମଧ୍ୟାହ୍ନ ଭୋଜନକୁ ଡାକିଥିଲେ ଟ୍ରମ୍ପ। ଏହାକୁ ନେଇ ପାକିସ୍ତାନରେ ମଧ୍ୟ ବିରୋଧ ହୋଇଥିଲା।

ସିନ୍ଧୁ ନଦୀ ଉପରେ ଭାରତୀୟ ଡ୍ୟାମ୍‌ ଉଡ଼ାଇ ଦେବାକୁ ଧମକ
ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଭାରତର ନିଷ୍ପତ୍ତି ପାକିସ୍ତାନର ୨୫୦ ନିୟୁତ ଲୋକଙ୍କୁ ବିପଦରେ ପକାଇପାରେ ବୋଲି ମୁନିର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ସିନ୍ଧୁ ନଦୀ ଜଳ ରୋକିବା ପାଇଁ ଯଦି ଭାରତ ଡ୍ୟାମ୍ ନିର୍ମାଣ କରିବ ତା’ହେଲେ ଆମେ ସେହି ଡ୍ୟାମ୍‌କୁ ଉଡ଼ାଇ ଦେବୁ। ଆମେ ଯେ କୌଣସି ଡ୍ୟାମ୍‌କୁ ୧୦ଟି କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରିବୁ। ସିନ୍ଧୁ ନଦୀ ଭାରତୀୟଙ୍କ ପାରିବାରିକ ସମ୍ପତ୍ତି ନୁହେଁ କି ଆମ ପାଖରେ କ୍ଷେପଣାସ୍ତ୍ର ଅଭାବ ନାହିଁ ବୋଲି ମୁନିର କହିଛନ୍ତି। ଆମେରିକାରୁ ଭାରତ ବିରୋଧରେ ମୁନିରଙ୍କ ଏଭଳି ଉତ୍ତେଜନା ସୃଷ୍ଟିକାରୀ ବୟାନ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ତିକ୍ତ କରିବ ବୋଲି ଆଶଙ୍କା କରାଯାଉଛି।