ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ମନ୍ଦିରରେ ଚଳଚ୍ଚିତ୍ର ଗୀତରେ ରିଲ ତିଆରି କରିବାର ମାମଲା ସାମ୍ନାକୁ ଆସିଛି। ଯାହାକୁ ନେଇ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଆପତ୍ତି ଉଠାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି | ଆଉ ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏଫଆଇଆର ପଞ୍ଜିକରଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଘଟଣା ପରେ ଯୁବତୀ ଜଣକ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି | ମିଳିଥିବା ସୂଚନା ମୁତାବକ ଛତ୍ରପୁର ଜିଲ୍ଲାର ଲବକୁସନଗରରେ ମାତା ବମ୍ବରବେନି ଦେବୀଙ୍କର ମନ୍ଦିର ରହିଛି | ଏହି ମନ୍ଦିର ବହୁ ପୁରୁଣା ହୋଇଥିବାବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି |

Advertisment

ତେବେ ଏହି ଅଂଚଳର ଜଣେ ଯୁବତୀ ମନ୍ଦିରର ପାହାଚରେ 'ମୁନ୍ନି ବଦନାମ ହୁଇ' ଗୀତରେ ଏକ ରିଲ୍ ତିଆରି କରି ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରିଥିଲେ। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଏହାକୁ ବିରୋଧ କରିଥିଲେ। ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଭିଡିଓ ତିଆରି କରିଥିବା ଯୁବତୀଙ୍କ ନାମ ହେଉଛି ନେହା ମିଶ୍ର |

ନେହା ସୋସିଆଲ ମିଡିଆରେ ବହୁତ ସକ୍ରିୟ | ତାଙ୍କର ପ୍ରାୟ ୪ ଲକ୍ଷ ୧୨ ହଜାର ଫଲୋୟର୍ସ ଥିବାବେଳେ ଏବେ ଲୋକମାନେ ଭିଡିଓକୁ ନେଇ ନିନ୍ଦା କରିଛନ୍ତି | ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ବୁନ୍ଦେଲଖଣ୍ଡର ପ୍ରସିଦ୍ଧ ମାତା ବମ୍ବରବେନି ଦେବୀଙ୍କ ପବିତ୍ର ମନ୍ଦିରରେ ଅଶ୍ଳୀଳତା ପ୍ରଚାର କରିଥିଲେ ଏବଂ ଏହାଦ୍ୱାରା ତାଙ୍କୁ ମନ୍ଦିରର ମର୍ଯ୍ୟାଦା ଭଙ୍ଗ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ |