ତ୍ରିରଙ୍ଗା ବଦଳାଇ ଗୈରିକ ପତାକା କରିଦେବ ବିଜେପି: ମୁଫତି

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି ଆଜି ପୁଣି ଥରେ ବିଜେପି ଉପରେ ବଡ ଆକ୍ରମଣ କରିଛନ୍ତି। ମେହବୁବା ମୁଫତି କହିଛନ୍ତି ଯେ ଆଗାମୀ ଦିନରେ ବିଜେପି ସମ୍ବିଧାନ ଏବଂ ଧର୍ମନିରପେକ୍ଷତାର ମୂଳଦୁଆକୁ ଧ୍ୱଂସ କରିବ। ଯେଉଁ ଧର୍ମନିରପେକ୍ଷତାର ମୂଳଦୁଆ ଉପରେ ଦେଶ ଛିଡା ହୋଇଛି ତାହାକୁ ବିଜେପି ଭାଙ୍ଗିଦେବ | ସେମାନେ ଭାରତକୁ ଏକ ଧାର୍ମିକ ଦେଶ କରିବେ। ତ୍ରିରଙ୍ଗାକୁ ବଦଳାଇଦେବେ | ଯେଉଁ ତ୍ରିରଙ୍ଗାକୁ ତୁମେ ଗର୍ବର ସହିତ ଉଡାଉଛ ତାହାକୁ ବଦଳାଇ ଗୈରିକ ପତାକା ଆଣିବେ | ସେ କହିଛନ୍ତି ଯେ ଜମ୍ମୁକଶ୍ମୀରର ସମ୍ବିଧାନ ଏବଂ ପତାକାକୁ ଯେଭଳି ଭାବେ ଛଡ଼ାଇ ନିଆଯାଇଥିଲା, ସେହିପରି ଏହି ଦେଶର ପତାକା ବଦଳାଇବେ।

ମେହବୁବା ମୁଫତି କହିଛନ୍ତି, “ଆମେ ଶପଥ ନେଇଛୁ ଯେ ଆମେ ଆମର ପତାକା ଏବଂ ସମ୍ବିଧାନ ଫେରାଇ ଆଣିବୁ। କଶ୍ମୀରର ସମସ୍ୟାର ସମାଧାନ ପାଇଁ ମଧ୍ୟ ଆମେ ସେମାନଙ୍କୁ ବାଧ୍ୟ କରିବୁ, ଯେଉଁଥିପାଇଁ ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ବଳିଦାନ ଦେଇଛନ୍ତି।” ଏହାପୂର୍ବରୁ ମେହବୁବା ମୁଫତି ବୁଧବାର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ରଖିଥିଲେ, ଯେଉଁଥିରେ ତାଙ୍କ ପିତା ମୁଫତି ମହମ୍ମଦ ସୟିଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଠି ବସିଥିବାର ଦେଖାଯାଉଛି ଏବଂ ସେମାନଙ୍କ ସମ୍ମୁଖରେ ବର୍ତ୍ତମାନ ଅମାନ୍ୟ ହୋଇଥିବା ଜମ୍ମୁକଶ୍ମୀରର ପତାକା ଦେଖିବାକୁ ମିଳିଛି।

ମେହବୁବା ମୁଫତି ଟ୍ୱିଟ୍ କରି ଲେଖିଥିଲେ ଯେ ମୁଁ ମୋର ଡିପି ବଦଳାଇଲି, କାରଣ ପତାକା ଖୁସି ଏବଂ ଗର୍ବର ପ୍ରତୀକ ହୋଇଥିବାବେଳେ ଆମ ରାଜ୍ୟର ପତାକା ଭାରତୀୟ ପତାକା ସହିତ ସଂଯୁକ୍ତ ଥିଲା, ଯାହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ | ଆମ ପତାକା ଛଡ଼ାଇ ନେଇପାରିବେ, କିନ୍ତୁ ଏହା ଆମର ସାମୂହିକ ଚେତନାରୁ ଲିଭାଯାଇପାରିବ ନାହିଁ |

ସମ୍ବନ୍ଧିତ ଖବର