ଛାତ୍ରଙ୍କୁ ସ୍କୁଲ୍‌ରେ ପିଟିପିଟି ହତ୍ୟା 

ନୂଆଦିଲ୍ଲୀ: ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ସେହି ସ୍କୁଲ୍‌ର କିଛି ଛାତ୍ର   ପିଟିିପିଟି ହତ୍ୟା କରିବା ଘଟଣା  ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁଯାୟୀ ଦିଲ୍ଲୀର ଜ୍ୟୋତି ନଗର ଏସ୍‌କେଭି ସ୍କୁଲ୍‌ରେ ଗତକାଲି ଗୌରବ ନାମକ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ କିଛି ଛାତ୍ର ପ୍ରବଳ  ମାଡ଼ ମାରିଥିଲେ।  ଗୌରବଙ୍କୁ ସେମାନେ ପିଟି ପିଟି ଅଚେତ୍‌  କରିଦେବା ପରେ ସ୍ଥାନ ଛାଡ଼ି ପଳାଇଥିଲେ। ଖବର ପାଇ ପୁଲିସ ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ପହଞ୍ଚିଥିଲା। ଗୌରବଙ୍କୁ  ତାଙ୍କ ଭାଇ ଗୋବିନ୍ଦ ଜିଟିବି ହସ୍ପିଟାଲ୍‌ ନେଇଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପୁଲିସ ଏବେ ଏହି ଘଟଣାରେ କିଛି ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାରେ କିଛି ଛାତ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଜଣାଯାଇଛି ଯେ ୧୭ ବର୍ଷୀୟ ଗୌରବ ତାଙ୍କ ବାପା ମା’ଙ୍କ ସହ ବାବରପୁର୍‌ରେ ରହୁଥିଲେ।   ଗତକାଲି ସେ ତାଙ୍କ ଶ୍ରେଣୀ  ଶିକ୍ଷକଙ୍କୁ ଭେଟିବା ପାଇଁ ଯାଇଥିବା ସମୟରେ କୌଣସି କାରଣ ହେତୁ ଅନ୍ୟ ପିଲାମାନଙ୍କ ସହ ବଚସା ହୋଇଥିଲା। ଫଳରେ କିଛି ବିଶୃଙ୍ଖଳ ଛାତ୍ର ଗୌରବଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଚଳିତବର୍ଷ ଫେବ୍ରୁଆରି ମାସରେ ଉତ୍ତରପୂର୍ବ ଦିଲ୍ଲୀର କରଓ୍ଵଲ ନଗରରେ ଜଣେ ୧୪ ବର୍ଷୀୟ ବାଳକଙ୍କୁ ସେହି ସ୍କୁଲ୍‌ର କିଛି ଛାତ୍ର ପିଟିପିଟି ହତ୍ୟା କରିଥିଲେ। ନବମ ଶ୍ରେଣୀ ଛାତ୍ର ତୁଷାର କୁମାରଙ୍କ ମୃତଦେହ ଜୀବନ ଜ୍ୟୋତି ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟର ଶୌଚ୍ଚାଳୟରୁ ମିଳିଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ର‍୍ୟାନ୍‌ ସ୍କୁଲ୍‌ର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର