ଆଦିବାସୀ ଯୁବକଙ୍କୁ ପିଟିପିଟି ହତ୍ୟା

କ୍ଷୁଧା ପୀଡ଼ିତଙ୍କ ପ୍ରତି ବର୍ବରତା

ଥିରୁବନନ୍ତପୁରମ୍‌: କେରଳରେ ଆଜି ଜଣେ ଆଦିବାସୀ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ସ୍ଥାନୀୟ ଗ୍ରାମବାସୀ ପିଟିପିଟି ମାରିଦେବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କେରଳର ପଲାକ୍କଡ଼ ନିକଟସ୍ଥ କାଡ଼ୁକୁମାନ୍ନା ଗ୍ରାମରେ ଜଣେ ୨୭ ବର୍ଷୀୟ ଆଦିବାସୀ ଯୁବକଙ୍କୁ ପାଖାପାଖି ୧୫ ଜଣ ଗ୍ରାମବାସୀ ବର୍ବର ଆକ୍ରମଣ କରିଥିଲେ। ଉକ୍ତ ଯୁବକ ଜଣକ ଏକ ଦୋକାନରୁ ଖାଦ୍ୟ ଚୋରି କରିଥିବା ଅଭିଯୋଗ କରି ଏଭଳି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ପିଟିପିଟି ହତ୍ୟା ମାମଲାର ଭିଡିଓ ମଧ୍ୟ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଏକ ବାଡ଼ି ଧରି ଆଦିବାସୀ ଯୁବକଙ୍କୁ ପ୍ରଶ୍ନ କରୁଥିବାବେଳେ ଅନ୍ୟଜଣେ ବ୍ୟକ୍ତି ତାଙ୍କ ସହ ସେଲ୍ଫି ନେଉଥିଲା। ପୁଲିସ ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖିଥିବାବେଳେ ଏଯାବତ୍‌ ୨ ଜଣଙ୍କୁ ଗିରଫ କରିଛି। ତେବେ ଉକ୍ତ ଘଟଣାର ତଦନ୍ତ ପାଇଁ ଥ୍ରିସୁର ରେଞ୍ଜ୍‌ ଆଇଜି ଏମଆର ଅଜିତ କୁମାରଙ୍କ ତତ୍ତ୍ୱାବଧାନରେ ଏକ ଏସ୍‌ଆଇଟି ଗଠନ ହୋଇଛି ଏବଂ ଦାୟିତ୍ୱରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ରାଜ୍ୟ ପୁଲିସ ମୁଖ୍ୟ ଲୋକନାଥ ବେହେରା କହିଛନ୍ତି। ରାଜ୍ୟ ସରକାର ଉକ୍ତ ଘଟଣାରେ ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ଘୋଷଣା କରିଛନ୍ତି ଏବଂ ଜାତୀୟ ଏସ୍‌ସି/ଏସଟି କମିସନର ମଧ୍ୟ ଏନେଇ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଆଦିବାସୀ ଯୁବକ ମଧୁଙ୍କୁ ଜଣେ ବ୍ୟକ୍ତି ଚୋରି ଅଭିଯୋଗରେ ଧରିବାପରେ ପାଖାପାଖି ୧୫ରୁ ୨୦ ଜଣ ସ୍ଥାନୀୟ ଲୋକ ତାଙ୍କୁ ପ୍ରମଳ ମାଡ଼ ମାରିଥିଲେ। ପରେ ସେମାନେ ମଧୁଙ୍କୁ ପୁଲିସ ଷ୍ଟେସନ୍‌କୁ ନେବାବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ କହିଛନ୍ତି ଯେ ଏଭଳି ଏକ ଘୃଣ୍ୟ ଅପରାଧ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷରେ ଉକ୍ତ ହତ୍ୟାକାଣ୍ଡକୁ ବିରୋଧ କରି ବିଜେପି ମନ୍ନରକ୍କଡ଼ରେ ବନ୍ଦ ଡାକରା ଦେଇଛି। ମଧୁଙ୍କ ମା’ ମାଲିଆମ୍ମା କହିଛନ୍ତି ଯେ ତାଙ୍କ ପୁଅ ଯାଯାବର ଜୀବନ ବିତାଉଥିଲା ଏବଂ ଗୁମ୍ଫାରେ ରହୁଥିଲା କିନ୍ତୁ ସେ ଦୋକାନରୁ ଖାଦ୍ୟ ଚୋରି କରିବା କଥାକୁ ତାଙ୍କ ମା’ ଗ୍ରହଣ କରିନାହାନ୍ତି। ଯଦି ଭୋକ ବିକଳରେ ସେ ଖାଦ୍ୟ ଚୋରି କରୁଥିଲା ତା’ହେଲେ ସେଥିପାଇଁ ଏଭଳି ଦଣ୍ଡ ଦେବାକୁ ଲୋକଙ୍କୁ ଅଧିକାର କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର