ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା, ଆଣ୍ଡାମାନ ଜଙ୍ଗଲରେ ପଶିଥିଲେ ଆଦିବାସୀ ତୀରମାଡ଼ କଲେ

ପୋର୍ଟବ୍ଲେୟାର: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଥିବା ଘଞ୍ଚ ଜଙ୍ଗଲରେ ଆଜି ଜଣେ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ଆଦିବାସୀମାନେ ତୀରମାଡ଼ କରି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସମସ୍ତ ବାରଣ ସତ୍ତ୍ବେ ପର୍ଯ୍ୟଟକ ଜଣକ ଉକ୍ତ ନିଷିଦ୍ଧାଞ୍ଚଳ ମଧ୍ୟରେ ଧୀବରଙ୍କ ସହାୟତାରେ ପ୍ରବେଶ କରିଥିଲେ। ଜଙ୍ଗଲ ମଧ୍ୟରେ ପ୍ରବେଶ କରିବାର କିଛି ସମୟ ପରେ ଆଦିବା‌ସୀଙ୍କ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା। ଏହି ସମୟରେ ସେମାନେ ତାଙ୍କୁ ତୀରମାଡ଼ କରିଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣା‌ରେ ପୁଲିସ ଏକ ହତ୍ୟ‌ା ମାମଲା ରୁଜୁ କରି ୭ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଖବର ମୁତାବକ, ଆଣ୍ଡାମାନ ଓ ନି‌କୋବର ଦ୍ବୀପଠାରୁ କିଛି ଦୂରରେ ଥିବା ସେଣ୍ଟିନେଲ୍‌ ଦ୍ବୀପରେ ଆଦିବାସୀଙ୍କର ବିଲୁପ୍ତପ୍ରାୟ ସମୁଦାୟ ରହୁଛନ୍ତି। ବାହାର ସଭ୍ୟ ସମାଜ ସହ ସେମାନଙ୍କର କୌଣସି ପ୍ରକାର ସମ୍ପର୍କ ନାହିଁ। ସେମାନେ ଏବେ ବି ଜଙ୍ଗଲ ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଛନ୍ତି। ତେଣୁ ଉକ୍ତ ଜଙ୍ଗଲ ମଧ୍ୟକୁ କେହି ନଯିବା ପାଇଁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ବେ ଆମେରିକୀୟ ନାଗରିକ ଜନ୍‌ ଆଲେନ୍‌ ଚାଉ ବେଆଇନ ଭାବେ ସେଣ୍ଟିନେଲ୍‌ ଦ୍ବୀପସ୍ଥିତ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିଲେ। ଆଦିବାସୀମାନେ ରହୁଥିବା ଜଙ୍ଗଲରେ ପହଞ୍ଚାଇବା ପାଇଁ ଧୀବରମାନେ ତାଙ୍କୁ ସହାୟତା କରିଥିଲେ। ତେବେ ଏହାର କିଛି ସମୟ ପରେ ତାଙ୍କ ଶବ ଦେଖିବା ପ‌ରେ ଧୀବରମାନେ ପୁଲିସକୁ ଖବର ଦେଇଥିଲେ। କୁହାଯାଉଛି ଯେ ସେଣ୍ଟିନେଲ୍‌ ଦ୍ବୀପରେ ରହୁଥିବା ଆଦିବା‌ସୀମାନେ ବହୁତ ହିଂସ୍ର ଏବଂ ଆକ୍ରାମକ। ସେମାନଙ୍କୁ ଜାରୱା ଜନଜାତି ବୋଲି କୁହାଯାଉଛି। କିନ୍ତୁ ଜାରୱା ଜନଜାତି ହିଁ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ହୋଇନାହିଁ। ଗିରଫ ହୋଇଥିବା ୭ ଜଣଙ୍କୁ ଏବେ ପଚରାଉଚରା କରାଯାଉଛି। ଜାରୱା ଜନଜାତି ମାନବ ସଭ୍ୟତାର ସବୁଠୁ ପୁରୁଣା ଆଦିବାସୀମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନେ ଭାରତ ମହାସାଗର ଟାପୁ ସଂଲଗ୍ନ ଜଙ୍ଗଲରେ ଗତ ୫୫,୦୦୦ ବର୍ଷ ଧରି ରହିଆସୁଛନ୍ତି। ଏମାନେ ସାଧାରଣ ଲୋକଙ୍କ ସହିତ ଆଦୌ ମିଶନ୍ତି ନାହିଁ। ସାଧାରଣ ଲୋକଙ୍କୁ ମଧ୍ୟ ସେଠାକୁ ଯିବାକୁ ଅନୁମତି ନାହିଁ। ତା’ସତ୍ତ୍ବେ ଏଲନ୍‌ ସେଠାକୁ ଯାଇଥିଲେ।

ଆମେରିକୀୟ ପର୍ଯ୍ୟଟକଙ୍କ ହତ୍ୟା ଖବର ମିଳିବା ପରେ ଚେନ୍ନାଇସ୍ଥିତ ଆମେରିକୀୟ ଦୂତାବାସ ମୁଖପାତ୍ର କହିଛନ୍ତି, ଘଟଣାକୁ ନେଇ ଆମେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଛୁ। ଗୋପନୀୟତା ଦୃଷ୍ଟିରୁ ଏହାଠାରୁ ଅଧିକ ସୂଚନା ଦିଆଯାଇ ପାରିବ ନାହିଁ। ତେବେ ଆମେରିକୀୟ ନାଗରିକ ଏଲନ୍‌ ବେଆଇନ ଭାବେ ଉକ୍ତ ନିଷିଦ୍ଧାଞ୍ଚଳକୁ ଯାଇଥିବା ବେଳେ ତାଙ୍କୁ ଆଦିବ‌ାସୀମାନେ ହତ୍ୟା କରିଥିବା ପ୍ରାଥମିକ ରିପୋର୍ଟ ଆସିଛି।

ମୁଖ୍ୟସ୍ରୋତଠୁ ବହୁ ଦୂରରେ ଜାରୱା ଜନଜାତି
ଜାରୱା ଜନଜାତିର ଲୋକମା‌ନେ ଅନେକ ହଜାର ବର୍ଷ ପୂ‌ର୍ବେ ଆଫ୍ରିକାରୁ ପଳାଇ ଆସି ଆଣ୍ଡାମାନ ନିକୋବର ଦ୍ବୀପ ଅନ୍ତର୍ଗତ ସେଣ୍ଟିନେଲ୍‌ ଟାପୁରେ ରହିଆସୁଛନ୍ତି। ଏହି ଜନଜାତିର ଲୋକଙ୍କ ସହିତ ମିଳାମିଶା କରିବା ପାଇଁ ସାଧାରଣ ନାଗରିକ ଓ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏଥିପାଇଁ ଠୋସ୍ ନିୟମ ମଧ୍ୟ ଲାଗୁ ହୋଇଛି। ଏହି ଜନଜାତିର ଲୋକଙ୍କ ସଂସ୍କୃତି ଉପରେ ଆଧୁନିକ ସଂସ୍କୃତିର ପ୍ରଭାବ ନପଡୁ ବୋଲି ସରକାର ଚାହୁଛନ୍ତି। ଏମାନେ ସେଥିପାଇଁ ମୁଖ୍ୟସ୍ରୋତଠାରୁ ବହୁ ଦୂରରେ।

୪୦୦ରୁ କମ୍‌ ଲୋକ ଅଛନ୍ତି
ଏହି ଜାରୱା ଜନଜାତିର ଲୋକ ସଂଖ୍ୟା ଏବେ ୪୦୦କୁ ହ୍ରାସ ପାଇଛି। ତେଣୁ ଏମାନଙ୍କୁ ଅଯଥା ହଇରାଣ ନ କରିବା ପାଇଁ ସରକାର କଠୋର ନିୟମ ଆଣିଛନ୍ତି। ସର୍ଭାଇଲ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ରିପୋର୍ଟ ମୁତାବକ ଏହି ଜନଜାତିର ସୁରକ୍ଷା ଦିଗରେ ଯଦି ସରକାର କୌଣସି ଧ୍ୟାନ ନଦିଅନ୍ତି, ତେବେ ଏମାନେ ସମ୍ପୂର୍ଣ୍ଣ ଧ୍ବଂସ ପାଇଯିବେ।

ଏବେ ବି ଧନୁତୀରରେ ଶିକାର
୧୯୯୦ ମସିହା ପର୍ଯ୍ୟନ୍ତ ଏହି ଜନଜାତିର ଲୋକଙ୍କ ସହ ବାହାର ଦୁନିଆର କୌଣସି ସମ୍ପର୍କ ନଥିଲା। କିନ୍ତୁ ଏହାପରଠାରୁ ଛୋଟବଡ଼ ଘଟଣା ଘଟୁଛି। ବାରଣ ସତ୍ତ୍ବେ ଲୋକମାନେ ପଶିବାରୁ ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତେଣୁ ନିଜକୁ ବଞ୍ଚାଇବା ପାଇଁ ସେମାନେ ସାଧାରଣ ନାଗରିକଙ୍କୁ ଦେଖିବା କ୍ଷଣି ତୀରମାଡ଼ କରୁଛନ୍ତି। ଏବେ ବି ଜାରୱା ଆଦିବାସୀ ଲୋକମାନେ ଧନୁତୀର ଦ୍ବାରା ଶିକାର କରୁଛନ୍ତି।

ଜାରୱା ମହିଳାଙ୍କ ସହ ଯୌନ ହିଂସା
୨୦୧୨ ମସିହାରେ ଏକ ଭିଡିଓ ଲୋକଲୋଚନକୁ ଆସିଥିଲା, ଯେଉଁଥି‌ରେ କିଛି ଜାରୱା ଆଦିବାସୀ ମହିଳାଙ୍କୁ ଖାଦ୍ୟ ବଦଳରେ ଉଲଗ୍ନ ହୋଇ ନାଚିବାକୁ ବାଧ୍ୟ କରାଯାଉଥିଲା। ବାହାର ଲୋକ ଅବାଧରେ ଉକ୍ତ ଅଞ୍ଚଳରେ ପ୍ରବେଶ କରି ଜାରୱା ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ଖବର ଚର୍ଚ୍ଚାରେ ରହିଥିଲା।

ସମ୍ବନ୍ଧିତ ଖବର