ହତ୍ୟା ଓ ଦୁଷ୍କର୍ମ ମାମଲା: ନିମ୍ନ ଅଦାଲତର ତରବରିଆ ଶୁଣାଣିରେ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ହତ୍ୟା ଓ ଦୁଷ୍କର୍ମ ଭଳି ଅପରାଧ ମାମଲାରେ ଶୁଣାଣି ବେଳେ ନିମ୍ନ ଅଦାଲତ ଯେଭଳି ତରବରିଆ ପଦକ୍ଷେପ ନେଉଛନ୍ତି ସେ ନେଇ ସୁପ୍ରିମ୍‌ କୋର୍ଟ କ୍ଷୁବ୍ଧ ହୋଇଛନ୍ତି । ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ସେମାନଙ୍କ ଦଣ୍ଡାଦେଶ ସଂପର୍କରେ ଯୁକ୍ତି ରଖିବା ପାଇଁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦେବା ଆବଶ୍ୟକ। କୋର୍ଟ ଗତ ୨୦୧୭ର ଏକ ମାମଲାର ଶୁଣାଣି ବେଳେ ଏଭଳି ମତ ରଖିଛନ୍ତି, ଯେଉଁଥିରେ କି ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶକୁ ୩୦ ବର୍ଷ ଜେଲ୍‌ ଦଣ୍ଡରେ ବଦଳାଇ ଦିଆଯାଇଥିଲା। ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ, ବି.ଆର୍‌. ଗଭା‌ଇ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ ତଳକୋର୍ଟ ତରବରିଆ ଶୁଣାଣି କରି ଏ ବାବଦ ନିରପେକ୍ଷ ବ୍ୟବସ୍ଥାର ଉଲ୍ଲଂଘନ କରି ଅଭିଯୁକ୍ତଙ୍କୁ କୋର୍ଟ ପକ୍ଷରୁ ମୃତ୍ୟୁ ଦଣ୍ଡାଦେଶ ମାମଲାରେ ପକ୍ଷ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେଇନାହାନ୍ତି।

ଅଦାଲତଙ୍କ ଏଭଳି ଆଚରଣ ଯୋଗୁଁ ନ୍ୟାୟ ବ୍ୟବସ୍ଥାକୁ ଧକ୍କା ଲାଗିଛି। ସମ୍ବିଧାନର ଧାରା ୨୧ ଅଧୀନରେ ଅଭିଯୁକ୍ତଙ୍କର ନିରପେକ୍ଷ ଶୁଣାଣି ପାଇଁ ପୂର୍ଣ୍ଣ ଅଧିକାର ରହିଛି । ଏହି ମାମଲାରେ ଅଭିଯୁକ୍ତର ଅପରାଧ ପ୍ରଥମ ଥିଲା ଏବଂ ସେ ଅତି ଗରିବ ତଥା ଅନୁସୂଚିତ ଜନଜାତି ସଂପ୍ରଦାୟର। ତେଣୁ ସୁଧାର ଓ ସଂସ୍କାର ସମ୍ଭାବନା ଅଧିକ ଥିବା ବେଳେ ତଳ କୋର୍ଟରେ ଅନୁଚିତ ଶୁଣାଣି ପ୍ରକ୍ରିୟା ତାଙ୍କୁ ଏଥିରୁ ବଞ୍ଚିତ କରିଛି। ଏଭଳି ତରବରିଆ ପ୍ରକ୍ରିୟାରେ ସୁଧାର ଜରୁରୀ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର