ଗୁଜରାଟରେ ଦଳିତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା

ବଦୋଦରା : ଗୁଜରାଟର ଆନନ୍ଦ ଜିଲ୍ଲାରେ ଗର୍‌ଭା ଉତ୍ସବରେ ଯୋଗ ଦେଇ ଜଣେ ଦଳିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଉଚ୍ଚ ଜାତି ପଟେଲ ସମ୍ପ୍ରଦାୟର କେତେଜଣ ଲୋକ ଦଳିତ ବ୍ୟକ୍ତିଙ୍କର ଗର୍‌ଭା ଦେଖିବାର ଅଧିକାର ନାହିଁ କହି ତାଙ୍କୁ ପିିଟିପିଟି ହତ୍ୟା କରିଛନ୍ତି। ମାମଲାରେ ପଟେଲ ସମ୍ପ୍ରଦାୟର ୮ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଭଙ୍କରବାସ୍‌ ଅଞ୍ଚଳର ଭଦ୍ରନିୟା ଗ୍ରାମର ବାସିନ୍ଦା ଜୟେଶ ସୋଲାଙ୍କି ସ୍ଥାନୀୟ ମନ୍ଦିର ନିକଟରେ ନବରାତ୍ରୀ ଉତ୍ସବ ଦେଖିବାକୁ ଯାଇଥିଲେ। ସେହି ଗ୍ରାମର ସଞ୍ଜୟ ପଟେଲ ଜୟେଶଙ୍କୁ ଜାତିଆଣ ଆକ୍ଷେପ କରିଥିଲେ। ନୀଚ ଜାତିର ହୋଇଥିବାରୁ ତାଙ୍କର ଗର୍‌ଭା ଦେଖିବାର ଅଧିକାର ନାହିଁ କହି ବିରୋଧ କରିଥିଲେ। ପରେ ଏହା ଭୟଙ୍କର ହିଂସାର ରୂପ ନେଇଥିଲା। ସଞ୍ଜୟଙ୍କ ସହିତ ଚିନ୍ତନ ପଟେଲ, ଜିଗନେଶ ପଟେଲ, ରୁତବିକ୍‌ ପଟେଲ, ବିକି ପଟେଲ, ଧାବଲ ପଟେଲ, ରିପେନ ପଟେଲ ଏବଂ ଦୀପେଶ ପଟେଲ ଉକ୍ତ ଦଳିତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଜୟେଶଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଭାବେ ଅଣାଯାଇଥିବା ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର