ଯଶପୁର(ଛତିଶଗଡ଼): ସ୍ତ୍ରୀକୁ କୂଅରୁ ଉଦ୍ଧାର କରି ହତ୍ୟା କଲା ସ୍ବାମୀ। ଛତିଶଗଡର ଯଶପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଜଣେ ମଦ୍ୟପ ସ୍ୱାମୀ ନିଜ ପତ୍ନୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ରାଗରେ ପତ୍ନୀ ଆତ୍ମହତ୍ୟା କରିବାକୁ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ୱାମୀ ନିଜ ପତ୍ନୀଙ୍କୁ କୂଅରୁ ବାହାର କରି ତାଙ୍କ ଜୀବନ ରକ୍ଷା କରିଥିଲେ। ହେଲେ ଏହା ପରେ ସେ ଯାହା କରିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଅଭିଯୁକ୍ତ ସ୍ବାମୀ ସ୍ତ୍ରୀକୁ କୂଅରୁ ଉଦ୍ଧାର କରିବା ପରେ ତାକୁ ହତ୍ୟା କରିବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଛି। ତେବେ ଏନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିବା ସାମ୍ନାକୁ ଆସିଛି। ଏହି ଘଟଣା ବଗିଚା ପୁଲିସ ଷ୍ଟେସନ ଅନ୍ତର୍ଗତ ରୌନି ଗାଁରେ ଘଟିଥିବା କୁହାଯାଉଛି।
ପୁଲିସ ଦେଇଥିବା ସୂଚନା ମୁତାବକ, ରୌନି ଗାଁରେ ଶଙ୍କର ରାମ ତାଙ୍କ ପତ୍ନୀ ଆଶା ବାଇଙ୍କ ସହ ରହୁଥିଲେ। ସୋମବାର ରାତିରେ ଦୁହେଁ ମଦ୍ୟପାନ କରି ଶୋଇବାକୁ ଚାଲିଯାଇଥିଲେ। ଏହି ସମୟରେ ଶଙ୍କର ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିଲେ। କିନ୍ତୁ, ପତ୍ନୀ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପରେ ଝଗଡ଼ା ଏତେ ବଢ଼ିଗଲା ଯେ ଆଶା ବାଇ ଆତ୍ମହତ୍ୟା କରିବାକୁ କୂଅ ଭିତରକୁ ଡେଇଁପଡିଥିଲେ। ପତ୍ନୀଙ୍କୁ ବଞ୍ଚାଇବା ପାଇଁ ଶଙ୍କର ମଧ୍ୟ କୂଅକୁ ଡେଇଁପଡିଥିଲେ। କିଛି ସମୟ ପରେ ସେ ଆଶାଙ୍କୁ କୂଅରୁ ବାହାର କରିଥିଲେ। କୂଅରୁ ବାହାରକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ପୁଣି ଝଗଡ଼ା ହେବାରୁ ଶଙ୍କର, ଆଶା ବାଇଙ୍କ ଗୁପ୍ତାଙ୍ଗକୁ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ।