‘ଦୃଶ୍ୟମ୍’ ଚଳଚ୍ଚିତ୍ର ଷ୍ଟାଇଲରେ ହତ୍ୟା : ବିଜେପି କର୍ମୀଙ୍କ ମୃତଦେହକୁ ଘର ଚଟାଣରେ ପୋତିଲେ

କୋଚି :  ଲୋକପ୍ରିୟ ଚଳଚ୍ଚିତ୍ର ଦୃଶ୍ୟମ ଢାଞ୍ଚାରେ ଏକ ହତ୍ୟାମାମାଲା କେରଳରେ ସାମନାକୁ ଆସିଛି । ଜଣେ ବ୍ୟକ୍ତିକୁ ହତ୍ୟା କରିଦେବା ପରେ ତାହାର ମୃତଦେହକୁ ଏକ ଚଟାଣ ତଳେ ପୋତି ସିମେଣ୍ଟ ପ୍ଲାଷ୍ଟର କରିଦିଆଯାଇଛି ।

ଘଟଣାଟି ଘଟିଛି କେରଳର କୋଟାୟାମ ଜିଲ୍ଲାରେ । ୪୩ ବର୍ଷୀୟ ବିଜେପି କର୍ମୀ ବିନ୍ଦୁ କୁମାର ଗତ ସପ୍ତାହରେ ନିଖୋଜ ହେବା ପରେ ସେପ୍ଟେମ୍ବର ୨୮ରେ ତାଙ୍କ ପରିବାର ପୁଲିସରେ ଏକ ଅଭିଯୋଗ ଦାଏର କରିଥିଲେ । ପୋଲିସ ବିନ୍ଦୁ କୁମାରଙ୍କ ମୋବାଇଲ୍ ଫୋନକୁ ଟ୍ରାକ କରିବା ପରେ କେରଳର ଚାଙ୍ଗନାସେରୀର ଏକ କଲୋନୀ ନିକଟରେ ତାହା ଶେଷଥର ପାଇଁ ଲାଇଭ୍ ଥିବା ଜାଣିବାକୁ ପାଇଥିଲା । ତାଙ୍କ ବାଇକକୁ ମଧ୍ୟ ନିକଟସ୍ଥ ଏକ ଅଂଚଳରୁ ମିଳିଥିଲା । ଏହା ଫଳରେ ପୁଲିସ ନିକଟରେ ଥିବା ମୁଥୁକୁମାର  ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେ ସଂଦେହ ହେଲା । ତାଙ୍କର ଘରର ଏକ ସ୍ଥାନରେ ସଦ୍ୟ ସିମେଣ୍ଟ ପ୍ଲାଷ୍ଟର କରାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା । ଘରର ଅନ୍ୟ କାନ୍ଥ ପୁରୁଣା ଥିବା ବେଳେ ଚଟାଣ ସିମେଣ୍ଟ ପ୍ଲାଷ୍ଟର କରାଯାଇଥିବାରୁ ପୁଲିସର ସଂଦେହ ହୋଇଥିଲା ।

ଏହା ପରେ ପୁଲିସ ଚଟାଣକୁ ଖୋଳିବାକୁ ନିଷ୍ପତ୍ତି ନେଇଥିଲା । ପ୍ରାୟ ୬ ଘଣ୍ଟା ଖୋଳିବା ପରେ ପୁଲିସ ବିନ୍ଦୁ କୁମାରଙ୍କ ମୃତଦେହ ପାଇଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା। ଅଧିକ ଅନୁସନ୍ଧାନ ପାଇଁ ଘଟଣାସ୍ଥଳରେ ଫୋରେନସିକ ଦଳ, ପୁଲିସ କୁକୁର ଆଦି ପହଞ୍ଚିଛନ୍ତି । ଏହି ମାମଲାର ତଦନ୍ତ ଜାରି ରହିଛି ।

 

ସମ୍ବନ୍ଧିତ ଖବର