ମୁମ୍ବାଇ: ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରେ ନିଲମ୍ବିତା ‘ବିଜେପି’ ନେତ୍ରୀ ନୂପୁର ଶର୍ମାଙ୍କ ପ୍ରତି ସମର୍ଥନ ଜଣାଇଥିବା ଅଭିଯୋଗରେ ଅମରାବତୀର ଜଣେ ୫୪ ବର୍ଷିୟ ଔଷଧ ଦୋକାନୀଙ୍କୁ ହତ୍ୟା କରାଯାଇଥିବା କଥା ଜଣେ ସ୍ଥାନୀୟ ବିଜେପି ନେତା ପୁଲିସକୁ ଲେଖଥିବା ପତ୍ରରୁ ଜଣାପଡ଼ିଛି।
‘କେମିଷ୍ଟ୍’ ଉମେଶ ପ୍ରହଲାଦ୍ରାଓ କୋହ୍ଲେଙ୍କୁ ଜୁନ୍ ୨୧ ତାରିଖ ଦିନ ଛୁରି ମାରି ହତ୍ୟା କରାଯାଇଥିଲା। ପୁଲିସକୁ ଦେଇଥିବା ଚିଠିରେ ସ୍ଥାନୀୟ ବିଜେପି ନେତାଜଣକ ଲେଖିଛନ୍ତି ଯେ, ପ୍ରତିଶୋଧ ନେବା ଓ ଉଦାହରଣ ସୃଷ୍ଟି କରିବା ଲାଗି ଉମେଶଙ୍କୁ ହତ୍ୟା କରାଯାଇଛି।
ଘଟଣାକୁ ସତ୍ୟ ବୋଲି ସୁନିଶ୍ଚିତ କରି ପୁଲିସ କହିଛି, ବିଜେପି ନେତାଙ୍କ ଠାରୁ ଚିଠି ପାଇବା ପରେ ଆମେ ତଦନ୍ତ ଆରମ୍ଭ କରିଛୁ। ‘ଏଫ୍ଆଇଆର୍’ ପଞ୍ଜିକରଣ କରି ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୫ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
/sambad/media/post_attachments/wp-content/uploads/2022/07/ns1-1-1024x661.jpg)
ସିଟି କୋତୱାଲି ଥାନାର ଜଣେ ଅଧିକାରୀ କହିଛନ୍ତି, ଅମରାବତୀ ନଗରୀରେ କୋହ୍ଲେ ଔଷଧ ଦୋକାନଟିଏ ଖୋଲିଥିଲେ। ନୂପୁର ଶର୍ମାଙ୍କ ମନ୍ତବ୍ୟ ପ୍ରତି ସମର୍ଥନ ଜଣାଇ କରାଯାଇଥିବା ପୋଷ୍ଟ୍କୁ ସେ କେତେକ ‘ହ୍ବାଟସ୍ଆପ୍’ ଗ୍ରୁପ୍ରେ ସେୟାର୍ କରିଥିଲେ ବୋଲି କୁହାଯାଉଛି। ତାଙ୍କ ଗ୍ରାହକମାନଙ୍କ ସମେତ କେତେକ ସଂଖ୍ୟାଲଘୁ ସଦସ୍ୟ ଥିବା ଗୋଟାଏ ‘ହ୍ବାଟସ୍ଆପ୍ ଗ୍ରୁପ୍’ରେ ମଧ୍ୟ ସେ ଭୁଲ୍କ୍ରମେ ଉକ୍ତ ପୋଷ୍ଟ୍କୁ ସେୟାର୍ କରିପକାଇଥିଲେ।
ଜୁନ୍ ୨୧ ତାରିଖ ରାତି ୧୦ଟାରୁ ୧୦.୩୦ ମଧ୍ୟରେ କୋହ୍ଲେ ଦୋକାନ ବନ୍ଦ କରି ଦୁଇଚକିଆ ଯାନ ଚଳାଇ ଘରକୁ ଫେରୁଥିବା ବେଳେ ଘଟଣାଟି ଘଟିଥିଲା। ତାଙ୍କ ସହିତ ଅନ୍ୟ ଗୋଟାଏ ଗାଡ଼ିରେ ୨୭ ବର୍ଷିୟ ପୁଅ ସଙ୍କେତ ଏବଂ ପତ୍ନୀ ବୈଷ୍ଣବୀ ମଧ୍ୟ ଯାଉଥିଲେ ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ସମସ୍ତେ ମହିଳା ମହାବିଦ୍ୟାଳୟ ଫାଟକ ନିକଟରେ ପହଞ୍ଚିବା ପରେ ପଛରୁ ଦୁଇଜଣ ମୋଟର୍ସାଇକେଲ୍ ଆରୋହୀ ଆସି କୋହ୍ଲେଙ୍କ ପଥ ଅବରୋଧ କଲେ। ଜଣେ ଯୁବକ ମୋଟର୍ସାଇକେଲ୍ରୁ ଓହ୍ଲାଇ ଗୋଟାଏ ଧାରୁଆ ଅସ୍ତ୍ରରେ କୋହ୍ଲେଙ୍କ ବେକକୁ ଭୁସି ଘଟଣାସ୍ଥଳରୁ ଚାଲିଯାଇଥିଲେ। ରକ୍ତ ଜୁଡୁବୁଡୁ ହୋଇ କୋହ୍ଲେ ରାସ୍ତାରେ ପଡ଼ିଗଲେ। ତୁରନ୍ତ ସଙ୍କେତ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ। କିନ୍ତୁ, ସେଠାରେ ତାଙ୍କର ମୃତ୍ୟୁ ଘଟିଲା।
ଅପରାଧରେ ବ୍ୟବହୃତ ଛୁରିଟିକୁ ପୁଲିସ ଜବତ କରିବା ସହ ଘଟଣାକ୍ରମ ଉତ୍ତୋଳନ ହୋଇଥିବା ‘ସିସିଟିଭି ଫୁଟେଜ୍’ ମଧ୍ୟ ସଂଗ୍ରହ କରିଛି।