ଉନ୍ନାଓ ଜେଲ୍‌ରେ କଏଦୀଙ୍କ ହାତରେ ବନ୍ଧୁକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓ ଜେଲ୍‌ରେ କଏଦୀମାନଙ୍କ ପାଇଁ ସବୁ ସୁବିଧା ଉପଲବ୍ଧ। ସେମାନେ ମନ ଇଚ୍ଛା ମଦ ପିଉଛନ୍ତି , ମୋବାଇଲ ଫୋନ୍‌ ଧରୁଛନ୍ତି ଏବଂ ଇଚ୍ଛା ମୁତାବକ ବନ୍ଧୁକ ଧରି ଜେଲ୍‌ରୁ ଧମକ ମଧ୍ୟ ଦେଉଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଉନ୍ନାଓ ଜେଲ୍‌ରେ ୨ ଜଣ କଏଦୀ ହାତରେ ବନ୍ଧୁକ ଧରିଥିବା ଦେଖିଥିବା ମିଳିଛି। ସେମାନେ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି ଏବଂ ଜେଲ୍‌ରେ ମଦ ମଧ୍ୟ ପିଉଛନ୍ତି। ଜଣେ କଏଦୀ ଭିଡିଓ ମାଧ୍ୟମରେ କହିଛି, ଏହା ଉନ୍ନାଓ ଜେଲ୍‌ ହେଉ କି ମିରଟ୍‌ ଜେଲ୍‌ ‌ସେ ଯେଉଁ ସ୍ଥାନକୁ ଗଲେ ବି ଜେଲ୍‌ ଭିତରେ ଏବଂ ବା‌ହାରେ ହତ୍ୟା କରିପାରିବେ। ଅନ୍ୟଜଣେ କଏଦୀ ହାତରେ ବନ୍ଧୁକ ଧରି କହିଛି ଯେ କେହି ବି ତାଙ୍କୁ ଧମକାଇ ପାରିବେନି କି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେନି। ସରକାର ଏବଂ ଜେଲ୍‌ ଡିଜି ଉକ୍ତ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି। ୪ ଜଣ ‌ଜେଲ୍‌ ଅଧିକାରୀଙ୍କ ବି‌ରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ଏବଂ ସେମାନଙ୍କୁ ଅନ୍ୟତ୍ର ବଦଳି କରା‌ଯାଇଛି।

ସମ୍ବନ୍ଧିତ ଖବର