ଅଗରତାଲା : ବୁଧବାରଦିନ ତ୍ରିପୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ରାଜ୍ୟରେ ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ତାରିଖ ଘୋଷଣାର ମାତ୍ର ଅଧଘଣ୍ଟା ମଧ୍ୟରେ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ଏହି ଘଟଣାର ଅବସାନ ନ ହେଉଣୁ ଏକ ଆଞ୍ଚଳିକ ଦଳର ଜଣେ ନେତାଙ୍କୁ ହତ୍ୟା କରିଦିଆଯାଇଛି ।
ଧଲାଇ ଜିଲ୍ଲାରେ ଆଞ୍ଚଳିକ ଦଳର ଟିପ୍ରାହା ସ୍ୱଦେଶୀ ପ୍ରଗତିଶୀଳ ଆଞ୍ଚଳିକ ମେଣ୍ଟ (ଟିପ୍ରା)ର ଜଣେ ୪୪ ବର୍ଷୀୟ ସ୍ଥାନୀୟ ନେତା ପ୍ରଣଜିତ ନମସୁଧାରାଙ୍କୁ ହତ୍ୟା କରାଯାଇଛି । ଏଥିରେ କ୍ରୋଧିତ ହୋଇ ଟିପ୍ରା ସଦସ୍ୟମାନେ ଗୁରୁବାର ଦିନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ନେତାଙ୍କୁ "ବିଜେପି ଲୋକମାନେ" ହତ୍ୟା କରିଛନ୍ତି । ତେବେ ଶାସକ ଦଳ ଏହି ଅଭିଯୋଗକୁ ଅସ୍ୱୀକାର କରିଛି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ହତ୍ୟାକାଣ୍ଡ ସହ ରାଜନୀତିର କୌଣସି ସଂପର୍କ ନାହିଁ ଏବଂ ଏହା ଆର୍ଥିକ ବିବାଦ ଯୋଗୁଁ ହୋଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଚାରି ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।
ଅନ୍ୟପକ୍ଷରେ ଟିପ୍ରା ମୁଖ୍ୟ ପ୍ରଦ୍ୟୋତ ମଣିକ୍ୟ ଦେବବର୍ମନ ଅଭିଯୋଗ କରିଛନ୍ତି ଯେ ବିଜେପି ସଦସ୍ୟମାନେ ନମସୁଧାରାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି କାରଣରୁ ସେ ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।