ନୂଆଦିଲ୍ଲୀ: ଟିଣ୍ଡର ଆପ୍ ମାଧ୍ୟମରେ ଦୁଇଟି ମିଛ ଉପରେ ପ୍ରତିଷ୍ଠିତ ପ୍ରେମ ହତ୍ୟାରେ ଶେଷ ହୋଇଥିଲା। ୨୦୧୮ ମସିହାର ଏହି ମାମଲା ଉପରେ ଶନିବାର ଜୟପୁର କୋର୍ଟ ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ପ୍ରେମିକା ପ୍ରିୟା ସେଠ ଓ ତା’ର ସହଯୋଗୀମାନଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

Advertisment

ସୂଚନାଯୋଗ୍ୟ, ୨୮ ବର୍ଷୀୟ ଦୁଷ୍ୟନ୍ତ ଶର୍ମା ଯେତେବେଳେ ଟିଣ୍ଡର ଆପ୍‌ରେ ପ୍ରିୟା ସେଠଙ୍କ ସହ ସମ୍ପର୍କ ଯୋଡ଼ିଥିଲେ ସେତେବେଳେ ଦୁହିଁଙ୍କର ସମାନ ଆଗ୍ରହ ଥିବା ଜଣାପଡିଥିଲା। ୩ ମାସ ଧରି ଆପ୍‌ରେ କଥା ହେବା ପରେ ଦୁହେଁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୭ ବର୍ଷୀୟା ପ୍ରିୟା ତାଙ୍କୁ ଏକ ଭଡ଼ା ଘରକୁ ଡାକିଥିଲା, ଯେଉଁଥିରେ ଦୁଷ୍ୟନ୍ତ ସହଜରେ ରାଜି ହୋଇଯାଇଥିଲେ। କିନ୍ତୁ ଫେବୃଆରି ୨୦୧୮ରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଦୁଇଟି ମିଛ ଉପରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଆରମ୍ଭରୁ ନଷ୍ଟ ହୋଇଯାଇଥିଲା। ବିବାହିତ ଦୁଷ୍ୟନ୍ତ ଦିଲ୍ଲୀର ଜଣେ ଧନୀ ବ୍ୟବସାୟୀ ଭାବେ ଟିଣ୍ଡରରେ ବିବନ କୋହଲି ନାମକ ଏକ ନକଲି ନାମରେ ପରିଚୟ ଦେଇଥିଲେ। ସେ ନିଜକୁ ଅବିବାହିତ ବୋଲି ଦର୍ଶାଇଥିଲେ। ଅପରପକ୍ଷରେ ପ୍ରିୟା ଦୁଷ୍ୟନ୍ତଙ୍କୁ ଅପହରଣ କରି ଟଙ୍କା ଆଦାୟ କରିବା ମତଲବରେ ଥିଲା। ଦୁଇଜଣ ସହଯୋଗୀ ଦୀକ୍ଷାନ୍ତ କାମରା ଓ ଲକ୍ଷ୍ୟ ୱାଲିଆଙ୍କ ସହାୟତାରେ ପ୍ରିୟା ଦୁଷ୍ୟନ୍ତଙ୍କୁ ଘରେ ପଶିବା ମାତ୍ରେ ଅପହରଣ କରି ନେଇଥିଲା। ଏହାପରେ ସେମାନେ ଯେତେବେଳେ ରାନସମ କଲ୍ (ଟଙ୍କା ଦାବି କରି ଫୋନ୍) କଲେ ସେତେବେଳେ ଅନୁଭବ କଲେ ଯେ ‘ଦିଲ୍ଲୀ ବ୍ୟବସାୟୀ’ ସେତିକି ଧନୀ ନୁହନ୍ତି, ଯେତିକି ଆଗରୁ ଦାବି କରିଥିଲେ। ଦୁଷ୍ୟନ୍ତଙ୍କ ପରିବାର ୧୦ ଲକ୍ଷ ଟଙ୍କା ନ ଦେବାରୁ ଅଭିଯୁକ୍ତମାନେ ତାଙ୍କୁ ଏକାଧିକ ଥର ଛୁରା ମାଡ଼ କରିବା ସହ ମୁହଁରେ ତକିଆ ମାଡ଼ି ହତ୍ୟା କରିଥିଲେ।

ପ୍ରିୟା ଦୁଷ୍ୟନ୍ତଙ୍କ ଡେବିଟ୍ କାର୍ଡ ଜବତ କରିବା ସହ ପିନ୍ ସେୟାର କରିବାକୁ ବାଧ୍ୟ କରିଥିଲା। ପ୍ରିୟାଙ୍କ ଦାବି ଅନୁଯାୟୀ ଦୁଷ୍ୟନ୍ତଙ୍କ ବାପା ବହୁକଷ୍ଟରେ ଦୁଷ୍ୟନ୍ତଙ୍କ ଆକାଉଣ୍ଟରେ ୩ ଲକ୍ଷ ଟଙ୍କା ଜମା କରିବା ପରେ ପ୍ରିୟା କାର୍ଡ ବ୍ୟବହାର କରି ୨୦ ହଜାର ଟଙ୍କା ଉଠାଇଥିଲା। ସେମାନଙ୍କ ଅପରାଧ ପଦାକୁ ଆସିବା ଭୟରେ ୩ ଅଭିଯୁକ୍ତ ଦୁଷ୍ୟନ୍ତଙ୍କୁ ହତ୍ୟା କରିଥିଲେ। ୨୦୧୮ ମେ ୪ ତାରିଖରେ ଜୟପୁର ବାହାରେ ଥିବା ଏକ ଗାଁରେ ଏକ ସୁଟକେସରେ ଭର୍ତ୍ତି ହୋଇଥିବା ତାଙ୍କ ମୃତଦେହ ମିଳିଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରିୟା ସେଠ ଅପରାଧ ସ୍ୱୀକାର କରିଛି। ଅପରାଧ ପଛର ଉଦ୍ଦେଶ୍ୟ ବର୍ଣ୍ଣନା କରି ସେ କହିଛି, ଦୁଷ୍ୟନ୍ତ ମୋତେ ତାଙ୍କ ପ୍ରକୃତ ନାମ ମଧ୍ୟ କହିନଥିଲେ। ସେ ମୋତେ କହିଥିଲେ ଯେ ସେ ବହୁତ ଧନୀ। ମୁଁ ଦୀକ୍ଷାନ୍ତ ସହ ଲିଭ୍-ଇନ୍ ରିଲେସନ୍‌ସିପ୍‌ରେ ଥିଲି ଏବଂ ତାଙ୍କ ଉପରେ ୨୧ ଲକ୍ଷ ଟଙ୍କାର ଋଣ ଥିଲା। ସେହି ଟଙ୍କା ପାଇବା ପାଇଁ ଆମେ ମିଶି କାହାକୁ ଅପହରଣ କରିବା, ଟଙ୍କା ମାଗିବା ଏବଂ ହତ୍ୟା କରିବା ପାଇଁ ଏହି ଯୋଜନା କରିଥିଲୁ। ଦୁଷ୍ୟନ୍ତଙ୍କ ବାପା ଟଙ୍କା ଟ୍ରାନ୍ସଫର କରିଥିଲେ ମଧ୍ୟ ସେମାନେ କାହିଁକି ତାଙ୍କୁ ହତ୍ୟା କଲେ ବୋଲି ପଚାରିବାରୁ ପ୍ରିୟା କହିଥିଲା, ଟଙ୍କା ଆସିବା ପୂର୍ବରୁ ଆମେ ତାଙ୍କୁ ହତ୍ୟା କରିଥିଲୁ। ଦୁଷ୍ୟନ୍ତ ଶର୍ମା ହତ୍ୟା ମାମଲାରେ ଜୟପୁର କୋର୍ଟ ଶନିବାର ତିନି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।