ଇସଲାମାବାଦ: ଜେଇଏମ୍ (ଜୈସ୍ ଏ ମହମ୍ମଦ)ର ଜଣେ କମାଣ୍ଡର ଅପରେସନ୍ ସିନ୍ଦୂରରେ ବାହାୱଲପୁର ଜୈସ୍ ମୁଖ୍ୟାଳୟ ଧ୍ବଂସ ହୋଇଥିବା ପ୍ରକାଶ କରିବା ପରେ ଏବେ ପୁଣି ଏଲ୍ଇଟି (ଲସ୍କର ଏ ତୋଏବା)ର ଜଣେ ସଞ୍ଚାଳକ ସ୍ବୀକାର କରିଛି ଯେ ମୁରିଦ୍କେର ମରକାଜ ତଏବାରେ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟାଳୟକୁ ଭାରତୀୟ ସେନା ଧ୍ବଂସ କରିଦେଇଛି। ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଏଲ୍ଇଟି କମାଣ୍ଡର କ୍ବାସିମ ସ୍ବୀକାର କରୁଛି ଯେ ମୁରିଦକେ ଆତଙ୍କୀ ଶିବିରକୁ ମେ’ ୭ ଅପରେସନ୍ ସିନ୍ଦୂରରେ ଧ୍ବଂସ କରାଯାଇଛି। ସେ କହିଛି, ‘ମୁଁ ମୁରିଦକେର ମରକାଜ ତଏବାର ଭଗ୍ନାବଶେଷ ଉପରେ ଠିଆ ହୋଇଛି ଯାହା ଭାରତୀୟ ଆକ୍ରମଣରେ ଧ୍ବଂସ ହୋଇଯାଇଛି।
ମରକାଜ ତଏବାର ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଛି। ଭଗବାନଙ୍କ ଆର୍ଶୀବାଦରୁ ଏହି ମସଜିଦ ପୂର୍ବାପେକ୍ଷା ଅଧିକ ବଡ଼ ହୋଇ ନିର୍ମାଣ ହେବ। ନିର୍ମାଣାଧୀନ ଅଞ୍ଚଳ ସାମ୍ନାରେ ଠିଆ ହୋଇ କ୍ବାସିମ୍ ଏହି ଟିପ୍ପଣୀ ଦେଇଛି। କ୍ବାସିମ ସ୍ବୀକାର କରିଛି ଯେ ମରକାଜ ତଏବାରେ ଅନେକ ଆତଙ୍କବାଦୀ ତାଲିମ ନେଉଥିଲେ। ତେବେ ପାକିସ୍ତାନ ଦାବି କରିଛି ଯେ ଧ୍ବଂସ ହୋଇଥିବା କୋଠା ଆତଙ୍କୀ ଶିବିର ଦ୍ବାରା ବ୍ୟବହାର କରାଯାଉନଥିଲା। ଅନ୍ୟ ଏକ ଭିଡିଓରେ ଏଲ୍ଇଟି ସଞ୍ଚାଳକ ପାକିସ୍ତାନୀ ଯୁବକମାନଙ୍କୁ ମୁରିଦକେର ମରକାଜ ତଏବାରେ ଅନ୍ୟ ଏକ ତାଲିମ କେନ୍ଦ୍ରରେ ଯୋଗ ଦେବାକୁ କହିଛି।