ଉପ ରାଜ୍ୟପାଳ ଭାବେ ଶପଥ ନେଲେ ମୁର୍ମୁ ଓ ମାଥୁର, କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜମ୍ମୁ କଶ୍ମୀର, ଲଦାଖ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଇତିହାସରେ ଆଜିଠାରୁ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଜମ୍ମୁ କଶ୍ମୀର ରାଜ୍ୟ ବିଭାଜନ ହୋଇ ଜମ୍ମୁ-କଶ୍ମୀର ଏବଂ ଲଦାଖ୍‌ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି। ଗୁଜରାଟ କ୍ୟାଡର୍‌ ଆଇଏଏସ୍‌ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ଆଜି ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ମୁର୍ମୁଙ୍କୁ ଏହି କେନ୍ଦ୍ର ଶାସିତ ଅଂଚଳର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ପାଠ କରାଇଛନ୍ତି। କୌଣସି ରାଜ୍ୟ କେନ୍ଦ୍ର ଶାସିତ ଅଂଚଳରେ ପରିବର୍ତ୍ତନ ହେବା ପ୍ରଥମ ଘଟଣା। ଜମ୍ମୁ କଶ୍ମୀର ବିଧାନସଭା ଥିବା କେନ୍ଦ୍ର ଶାସିତ ଅଂଚଳ ହୋଇଥିବା ବେଳେ ଲଦାଖ୍‌ ବିନା ବିଧାନସଭାରେ କେନ୍ଦ୍ର ଶାସିତ ଅଂଚଳ ହୋଇଛି। ରାଧାକୃଷ୍ଣ ମାଥୁର ଲଦାଖ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ସଂସଦରେ ୬ ଅଗଷ୍ଟରେ ପାରିତ ହୋଇଥିବା ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଆଧାରରେ ଜମ୍ମୁ କଶ୍ମୀରରେ ୧୧୪ ଆସନ ବିଶିଷ୍ଟ ବିଧାନସଭା ରହିଛି ଏବଂ ଏହା କେନ୍ଦ୍ର ଶାସିତ ଅଂଚଳ ପାଲଟିଛି। ପୁନର୍ଗଠନ ପରିପ୍ରେକ୍ଷୀରେ କଶ୍ମୀରରେ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର