ପାକିସ୍ତାନ ଶୈଳ ନିବାସରେ ଦୁଃଖଦ ଘଟଣା : କାର ମଧ୍ୟରେ ବରଫ ସମାଧି ନେଲେ ୨୧ ପର୍ଯ୍ୟଟକ

ଇସଲମାବାଦ : ପାକିସ୍ତାନର ଖାଇବର ପଖତୁନଖ୍ବାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଏହି ରାଜ୍ୟର ମୁରି ଶୈଳନିବାସରେ ପ୍ରବଳ ବରଫପାତ ଯୋଗୁଁ ୨୧ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଓ ଆହୁରି ଶହ ଶହ ଲୋକ ଫସିରହିଛନ୍ତି ।

ପାକିସ୍ତାନି ଖବରକାଗଜ ଡନର ରିପୋର୍ଟ ଅନୁସାରେ ମୁରି ଶୈଳନିବାସକୁ ବୁଲିବାକୁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଯାତ୍ରୀ ଆସିଛନ୍ତି । ଶନିବାର ମୁରି ବୁଲିବାକୁ ହଜାର ହଜାର ପର୍ଯ୍ୟଟନ ଯାଇଥିଲେ । କିନ୍ତୁ ପ୍ରବଳ ବରଫପାତ ହେବାରୁ ଲୋକମାନେ ନିଜ ନିଜ ଗାଡ଼ି ମଧ୍ୟରେ ଫସି ଯାଇଥିଲେ । ପ୍ରବଳ ଥଣ୍ଡାଯୋଗୁଁ ନିଜ ନିଜ କାର ମଧ୍ୟରେ ହିଁ ଫସିରହିଥିବା ୨୧ ଜଣ ଲୋକ ଅତ୍ୟନ୍ତ ଦୟନୀୟଭାବେ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ୯ ଜଣ ଶିଶୁ ରହିଛନ୍ତି । ଗୋଟିଏ କାର ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ମୃତ୍ୟୁବରଣ କରିଥିବାର ଦୁଃଖଦ ଖବର ମିଳିଛି । ଏବେ ବି ସେଠାରେ ଆହୁରି ୧ ହଜାରରୁ ଅଧିକ ଗାଡ଼ି ବରଫ ମଧ୍ୟରେ ଫସିରହିଛି ।

ଏହି ଘଟଣା ପରେ ଉକ୍ତ ଅଞ୍ଚଳ ସମେତ ସମଗ୍ର ଖାଇବର ପଖତୁନଖ୍ବାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି । ଉଦ୍ଧାର କାର୍ଯ୍ୟପାଇଁ ସ୍ଥାନୀୟ ପ୍ରଶାସନ, ପୁଲିସ, ରେଞ୍ଜର୍ସ ଓ ସେନାକୁ ନିୟୋଜିତ କରାଯାଇଛି । ଏହା ସହିତ ସ୍ଥାନୀୟ ଲୋକମାନେ ଫସିରହିଥିବା ପର୍ଯ୍ୟଟକମାନଙ୍କୁ ଖାଦ୍ୟ ଓ କମ୍ବଳ ବଣ୍ଟନ କରୁଛନ୍ତି ।

ସମ୍ବନ୍ଧିତ ଖବର