କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ହିନ୍ଦୁ ବିରୋଧୀ ଦଙ୍ଗା‌ ସମ୍ପର୍କରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ନିଜର ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଛନ୍ତି। ଉଗ୍ରବାଦ ଓ ଆତଙ୍କବାଦର କବଳରେ ପଶ୍ଚିମବଙ୍ଗ କବଳିତ ହେବାକୁ ଯାଉଛି ବୋଲି ରିପୋର୍ଟରେ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ଇସଲାମୀୟ ଉଗ୍ରବାଦର ମୁକାବିଲା ନିମନ୍ତେ ବିଭିନ୍ନ ବିକଳ୍ପ ସମ୍ପର୍କରେ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ଏହି ବିକଳ୍ପଗୁଡ଼ିକ ମଧ୍ୟରେ ଏକ ତଦନ୍ତ କମିସନ ଗଠନ, ବାଂଲାଦେଶ ସୀମାନ୍ତ ଜିଲ୍ଳାଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷାବଳର ଫାଣ୍ଡି ସ୍ଥାପନ ରହିଛି। 

Advertisment

‘ପଶ୍ଚିମବଙ୍ଗ ଖୁବ୍‌ ଶୀଘ୍ର ଆତଙ୍କବାଦ ଓ ଉଗ୍ରବାଦରେ କବଳିତ ହେବ’

ଏଥି ସହ ସମ୍ବିଧାନର ଧାରା ୩୫୬ର କଥା ମଧ୍ୟ କହିଛନ୍ତି। ତେବେ ଏନେଇ ରାଜଭବନର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ରାଜ୍ୟପାଳ ଧାରା ୩୫୬ ଲାଗୁ କରିବାକୁ କହିନାହାନ୍ତି, ବରଂ ରାଜ୍ୟର ସ୍ଥିତି ଆହୁରି ବିଗିଡ଼ିଲେ ଏହି ବିକଳ୍ପ କେନ୍ଦ୍ର ସରକାରଙ୍କ ନିକଟରେ ଉନ୍ମୁକ୍ତ ରହିଛି ବୋଲି କହିଛନ୍ତି। ମୁର୍ଶିଦାବାଦ ହିଂସା ଘଟଣାର ପ୍ରଭାବ ଅନ୍ୟ ଜିଲ୍ଳାରେ ପଡ଼ିଛି କିମ୍ବା ଆଗାମୀ ଦିନରେ ପଡ଼ିବା ଆଶଙ୍କା ରହିଛି,ଏହି ସମୟରେ କେନ୍ଦ୍ର ସରକାର ସାମ୍ବିଧାନିକ ବିକଳ୍ପକୁ ଗ୍ରହଣ କରିପାରନ୍ତି ବୋଲି ରାଜ୍ୟପାଳ ଦର୍ଶାଇଛନ୍ତି। ରିପୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁସଲିମ ତୁଷ୍ଟୀକରଣକୁ ସମାଲୋଚନା କରାଯାଇଛି। ହିଂସା ପରିପ୍ରେକ୍ଷୀରେ ମଧ୍ୟ ଆଇନକୁ ଦୃଢ଼ ଭାବେ କାଯ୍ୟକାରୀ କରିବା ବଦଳରେ ମୁସଲିମ ସମ୍ପ୍ରଦାୟ ଯେଭଳି ଅସନ୍ତୁଷ୍ଟ ନହେବେ ସେନେଇ ପ୍ରଚେଷ୍ଟା କରିଥିଲେ। ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା ହେବା ଆବଶ୍ୟକ ଓ ପୁଲିସ ସମସ୍ତ ପ୍ରକାର ହିଂସାକୁ ପ୍ରତିରୋଧ କରିବା ଉଚିତ ବୋଲି ମତ ଦେଇଛନ୍ତି। ମୁର୍ଶିଦାବାଦ, ମାଲଦା ଓ ଉତ୍ତର ଦିନାଜପୁରରେ ଜନସଂଖ୍ୟାର ପରିବର୍ତ୍ତନ ଘଟିଛି, ସେଠାରେ ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଛନ୍ତି ବୋଲି ରାଜ୍ୟପାଳ ଦର୍ଶାଇ ଏହାର ଏକ ବିସ୍ତୃତ ଯାଞ୍ଚ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି।