ନୂଆଦିଲ୍ଲୀ: ମୁର୍ଶିଦାବାଦ ଓ ମାଲଦା ହିଂସାକୁ ଟିଏମ୍ସି ସରକାରର ନିଷ୍ଠୁରତା ଓ ଉଦାସୀନତାର ପ୍ରତୀକ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମମତା ବାନାର୍ଜୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ‘ନିର୍ମମତା’ ଶବ୍ଦ ବ୍ୟବହାର କରି ସେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ବିଫଳ ହୋଇଥିବା ଓ ନାଗରିକଙ୍କ ଦୁର୍ଦ୍ଦଶାକୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଅଲିପୁରଦ୍ୱାରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି।
ମୁର୍ଶିଦାବାଦରେ ଵକଫ୍ ଆଇନ ବିରୋଧୀ ବିକ୍ଷୋଭ ଯୋଗୁଁ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଜଣେ ବିଧାୟକ ଓ ଜଣେ କାଉନସିଲରଙ୍କ ସମେତ ସ୍ଥାନୀୟ ନେତାଙ୍କୁ ଦାୟୀ କରି କୋଲକାତା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିର ତଥ୍ୟ ଅନୁସନ୍ଧାନ ରିପୋର୍ଟ ପରେ ଶାସକ ତୃଣମୂଳ କଂଗ୍ରେସ ଏବେ ସମାଲୋଚନାର ଶିକାର ହୋଇଛି। ହିଂସାକାଣ୍ଡ ସମୟରେ ପଶ୍ଚିମବଙ୍ଗ ପୁଲିସ ନିଷ୍କ୍ରିୟ ରହିବାକୁ ମଧ୍ୟ ରିପୋର୍ଟରେ ସମାଲୋଚନା କରାଯାଇଛି। ଗତ ମାସରେ ସୀମାନ୍ତ ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ଏହି ଘଟଣା ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଏକ ପ୍ରସଙ୍ଗ ପାଲଟିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ତୁଷ୍ଟୀକରଣ ରାଜନୀତି କରୁଛି ଏବଂ ହିନ୍ଦୁମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ବଙ୍ଗଳାବାସୀ ତୃଣମୂଳ କଂଗ୍ରେସ ସରକାର ଉପରେ ଆସ୍ଥା ହରାଇଛନ୍ତି। ସେ ରାଜ୍ୟ ସରକାରଙ୍କ ବିରୋଧରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମେତ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି।
ମମତାଙ୍କ ବିବାଦୀୟ ମନ୍ତବ୍ୟ
ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ମହିଳାଙ୍କ ସ୍ବାମୀ ଭଳି ବୟାନ ଦେଉଛନ୍ତି
ସାହସ ଅଛି ତ’ ନିର୍ବାଚନର ସମ୍ମୁଖୀନ ହୁଅ
ଯୁବକ, ଗରିବ ଓ ମଧ୍ୟବିତ୍ତ ପରିବାର ଦୁର୍ନୀତିର ଶିକାର ହେଉଛନ୍ତି। ଟିଏମ୍ସି ସରକାର ହଜାର ହଜାର ଶିକ୍ଷକ ଓ ସେମାନଙ୍କ ପରିବାରର ଭବିଷ୍ୟତ ନଷ୍ଟ କରିଛନ୍ତି। ସମଗ୍ର ଶିକ୍ଷା ବ୍ୟବସ୍ଥା ବି ଖରାପ ହେବାରେ ଲାଗିଛି। ଏବେ ବି ସେମାନେ ଅଦାଲତଙ୍କୁ ଦୋଷ ଦେବା ପରିବର୍ତ୍ତେ ନିଜର ଭୁଲ୍ ସ୍ୱୀକାର କରିବାକୁ ମନା କରୁଛନ୍ତି। ମମତା ବାନାର୍ଜୀ ସରକାର ଗରିବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାରେ ବାଧା ସୃଷ୍ଟି କରୁଛନ୍ତି। ଗତ ସପ୍ତାହରେ ନୀତି ଆୟୋଗ ବୈଠକରେ ଯୋଗ ଦେଇ ନ ଥିବାରୁ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଦଳ କେବଳ ୨୪ ଘଣ୍ଟିଆ ରାଜନୀତି କରିବାକୁ ଚାହୁଛି ଏବଂ ବଙ୍ଗଳାର ବିକାଶ କିମ୍ବା ଦେଶର ପ୍ରଗତିକୁ ପ୍ରାଥମିକତା ଦେଉନାହିଁ।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କୋଲକାତାରେ ପ୍ରଧାନମନ୍ତ୍ରୀଙ୍କ ବୟାନ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ‘ଅପରେସନ ସିନ୍ଦୂର’କୁ ନେଇ ଏଭଳି କହୁଛନ୍ତି ଯେମିତି ପ୍ରତ୍ୟେକ ମହିଳାଙ୍କର ସେ ସ୍ୱାମୀ ଅଟନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ତାଙ୍କ ପତ୍ନୀଙ୍କୁ କାହିଁକି ‘ସିନ୍ଦୂର’ ଦେଉନାହାନ୍ତି ବୋଲି ମମତା ପଚାରିଛନ୍ତି। ମମତା କହିଛନ୍ତି ସିନ୍ଦୂର ପ୍ରତ୍ୟେକ ମହିଳାଙ୍କ ସହ ଜଡିତ । ସିନ୍ଦୂରକୁ ପବିତ୍ର ବୋଲି ବିବେଚନା କରାଯାଏ। ମହିଳାମାନେ ଏହାକୁ ନିଜ ସ୍ୱାମୀଙ୍କ ପାଇଁ ପିନ୍ଧନ୍ତି। ମୁଁ ଅପରେସନ୍ ସିନ୍ଦୂର ଉପରେ ମନ୍ତବ୍ୟ ଦେବାକୁ ଚାହୁନାହିଁ ବୋଲି ମମତା କହିଛନ୍ତି। ମଧ୍ୟପ୍ରଦେଶରେ ରାସ୍ତା କଡ଼େ ଦେଖିବାକୁ ମିଳିଥିବା ‘ଯୌନ କେଳେଙ୍କାରୀ’ ନେଇ ପ୍ରଧାନମନ୍ତ୍ରୀ ନିରବ କାହିଁକି ବୋଲି ମମତା ପ୍ରଶ୍ନ କରିଛନ୍ତି। ମୋଦୀଙ୍କ ସହ ମୁହାଁମୁହିଁ ଆଲୋଚନା କରିବାକୁ ଚ୍ୟାଲେଞ୍ଜ ଦେଇ ମମତା କହିଛନ୍ତି, ଯଦି ସାହସ ଅଛି ତା’ହେଲେ କାଲି ହିଁ ନିର୍ବାଚନ ଘୋଷଣା କରି ବିଜେପି ମଇଦାନରେ ଅବତୀର୍ଣ୍ଣ ହେଉ। ଅପରେସନ ସିନ୍ଦୂର ଭଳି ‘ଅପରେସନ ବେଙ୍ଗଲ’ ମଧ୍ୟ ହେବ କି ବୋଲି ମମତା ମୋଦୀଙ୍କୁ ପ୍ରଶ୍ନ କରିଥିବା ବେଳେ ଏଭଳି ବିବାଦୀୟ ବୟାନ ନେଇ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/30/cQ5RF0AaEC771KrjTBMs.jpg)