ମୁଶରଫ୍‌ଙ୍କ ଗାଦି ମୋହ ଯାଇନି

ଆମେରିକାକୁ ମାଗିଲେ ଗୁପ୍ତ ସମର୍ଥନ, ଲିକ୍‌ ହେ‌ଲା ଭିଡିଓ

ୱାସିଂଟନ୍‌: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍‌ଭେଜ୍‌ ମୁଶରଫ୍‌ଙ୍କର ଗାଦି ମୋହ ଯାଇନାହିଁ। ଏବେ ବି ସେ ପା‌କିସ୍ତାନରେ କ୍ଷମତା ଦଖଲ କରିବା ଲାଗି ସ୍ବପ୍ନ ଦେଖୁଛନ୍ତି। ନିଜ ସ୍ବପ୍ନ ପୂରଣ ପାଇଁ ସେ ଆମେରିକା ନିକଟରେ ଗୁହାରି କରି ଗୁପ୍ତ ସମର୍ଥନ ଲୋଡ଼ିଛନ୍ତି। ଏମିତି କି ପୂର୍ବରୁ କରିଥିବା ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା ସହ କୌଣସିମତେ ପାକିସ୍ତାନରେ ପୁଣି କ୍ଷମତା ଫେରି ପାଇବାରେ ସହଯୋଗର ହାତ ବଢ଼ାଇବା ଲାଗି ଅନୁରୋଧ କରିଛନ୍ତି। ମୁଶରଫ୍‌ଙ୍କ ଏକ ଭିଡିଓ ଲିକ୍‌ ହେବା ପରେ ଏଭଳି ରୋଚକ ଘଟଣା ସାମ୍ନାକୁ ଆସିଛି। ଲିକ୍‌ ହୋଇଥିବା ଭିଡିଓରେ ମୁଶରଫ୍‌ ଆମେରିକା ସାଂସଦଙ୍କ ସହ କିଛି ସମୟ ଧରି କଥା ହେଉଛନ୍ତି। ପାକିସ୍ତାନର ଆବଟାବାଦରେ ଅଲ୍‌ କାଏଦା ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଦେନ୍‌ ଆତ୍ମଗୋପନ କରିବା ଏବଂ ଏ ବାବଦରେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆମେରିକାକୁ ଲାଦେନ୍‌କୁ ଖୋଜିବାରେ ସହଯୋଗ ନ କରିବାକୁ ନେଇ ମୁଶରଫ୍‌ ନିଜକୁ ଲଜ୍ଜିତ ମନେ କରୁଥିବା କହିଛନ୍ତି। ଲାଦେନ୍‌କୁ ଖୋଜିବା ଦିଗରେ ଆଇଏସ୍‌ଆଇ ଏବଂ ପାକ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ଉପେକ୍ଷା କରାଯାଇଥିଲା ବୋଲି ମଧ୍ୟ ସେ ସ୍ବୀକାର କରୁଛନ୍ତି। ଭିଡିଓରେ ମୁଶରଫ୍‌ କହୁଛନ୍ତି, ‘‘ମୁଁ କହିବାକୁ ଚାହୁଛି ଯେ ପାକ୍‌ରେ ମୋର ବିଶ୍ବସନୀୟତା ଅକ୍ଷୁଣ୍ଣ ରହିଛି। ଏବେ ମୋର କ୍ଷମତାକୁ ଫେରିବା ଜରୁରୀ ହୋଇପଡ଼ିଛି ଏବଂ ଏଥିରେ ମୋତେ ସହଯୋଗ କରାଯିବା ଉଚିତ। ଖୋଲାଖୋଲି ଭାବେ ନୁହେଁ, ବରଂ ଗୁପ୍ତ ଭାବେ ଆମେରିକା ପକ୍ଷରୁ ସମର୍ଥନ ମିଳିବା ଆବଶ୍ୟକ।’’ ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମେରିକାଠାରୁ ନେଇଥିବା ଅର୍ଥକୁ ଦେଶର ଦାରିଦ୍ର୍ୟ ହାର କମାଇବା କ୍ଷେତ୍ରରେ ବ୍ୟବାହାର କରିଛି। ୭୫ ବର୍ଷୀୟ ମୁଶରଫ୍‌ ମହାଭିଯୋଗରୁ ତ୍ରାହି ପାଇବା ପାଇଁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାଇଥିଲେ। ଏହା ପୂର୍ବରୁ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ସେ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ। ପାକିସ୍ତାନର ଏହି ପୂର୍ବତନ ସେନା ମୁଖ୍ୟ ୨୦୧୬ରୁ ଦୁବାଇରେ ରହୁଥିବା ଜଣାପଡ଼ିଛି। ତେବେ ସୁରକ୍ଷା ଏବଂ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଦେଶ ଛାଡ଼ି ଯାଇଥିଲେ ଏବଂ ତା’ ପରଠାରୁ ସେ ଆଉ ଫେରିନାହାନ୍ତି। ୨୦୦୭ରେ ସମ୍ବିଧାନ ଭଙ୍ଗ ଅଭିଯୋଗରେ ସେ ଦେଶଦ୍ରୋହ ମୋକଦ୍ଦମାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର